ଭୁବନେଶ୍ୱର: +2 ଇନଷ୍ଟାଣ୍ଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଛାତ୍ରଛାତ୍ରୀ ବର୍ତ୍ତମାନ +3 ପ୍ରଥମ ବର୍ଷରେ ନାମଲେଖା କରିବାରୁ ବଞ୍ଚିତ ହେଉଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇବାର ପ୍ରାୟ ୨୦ ଦିନ ବିତିଯାଇଥିଲେ ମଧ୍ୟ ଏହି ଛାତ୍ରଛାତ୍ରୀମାନଙ୍କୁ +3 ନାମଲେଖା ପାଇଁ ଆବେଦନ କରିବାର ସୁଯୋଗ ମିଳିନାହିଁ।+3 ପ୍ରଥମ ବର୍ଷର ପାଠପଢ଼ା ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇସାରିଛି। ଅନ୍ୟପକ୍ଷରେ, ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଏବେ ମଧ୍ୟ ବହୁ ସଂଖ୍ୟକ ସିଟ୍ ଖାଲି ରହିଛି। ଏଭଳି ପରିସ୍ଥିତିରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଆବେଦନର ସୁଯୋଗ ନଦେବା ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ରାଜ୍ୟର +3 ମହାବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ ଲକ୍ଷ ସିଟ୍ ଖାଲି ଥିବା ସତ୍ତ୍ୱେ +2 ଇନଷ୍ଟାଣ୍ଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଆବେଦନ ସୁଯୋଗ ନମିଳିବା ଏକ ଗୁରୁତର ଶିକ୍ଷାଗତ ସମସ୍ୟା ବୋଲି ରାଷ୍ଟ୍ରୀୟ ଅଭିଭାବକ ମହାସଂଘ ପକ୍ଷରୁ କୁହାଯାଇଛି।ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ରାଷ୍ଟ୍ରୀୟ ଅଭିଭାବକ ମହାସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ଏକ ସ୍ୱତନ୍ତ୍ର ନାମଲେଖା ସୁଯୋଗ ପ୍ରଦାନ କରିବା ସହ ଖାଲି ଥିବା ସିଟ୍ଗୁଡ଼ିକରେ ନାମଲେଖା ପାଇଁ ପଦକ୍ଷେପ ନେବାକୁ ସଂଘ ଦାବି କରିଛି।ସମୟୋପଯୋଗୀ ପଦକ୍ଷେପ ନିଆନଗଲେ ଅନେକ ଛାତ୍ରଛାତ୍ରୀ ଚଳିତ ଶିକ୍ଷାବର୍ଷରେ +3 ଶିକ୍ଷା ଆରମ୍ଭ କରିପାରିବେ ନାହିଁ ଏବଂ ସେମାନଙ୍କର ଗୋଟିଏ ଶିକ୍ଷାବର୍ଷ ନଷ୍ଟ ହେବାର ଆଶଙ୍କା ରହିଛି। ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଗୁରୁତର କ୍ଷତିକାରକ ବୋଲି ସଂଘ ମତ ପ୍ରକାଶ କରିଛି।ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବା ବନ୍ଦ କରି ଏହି ଜଟିଳ ସମସ୍ୟାର ତୁରନ୍ତ ସମାଧାନ କରାଯାଉ। ଖାଲି ସିଟ୍ ଥିବା ସତ୍ତ୍ୱେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନାମଲେଖାର ସୁଯୋଗ ନଦେବା ଗ୍ରହଣୀୟ ନୁହେଁ,ବୋଲି ରାଷ୍ଟ୍ରୀୟ ଅଭିଭାବକ ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ରଞ୍ଜନ କୁମାର ଦାସ ଚେତାବନୀ ଦେଇଛନ୍ତି।ସେ ରାଜ୍ୟ ସରକାର ଓ ଉଚ୍ଚଶିକ୍ଷା ବିଭାଗକୁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ତୁରନ୍ତ ନାମଲେଖା ପାଇଁ ପୋର୍ଟାଲ ଖୋଲିବା କିମ୍ବା ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
