ଭୁବନେଶ୍ୱର:ରାଜ୍ୟ ସରକାର ସମବାୟ ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି। ଓଡ଼ିଶା ରାଜ୍ୟ କୃଷି ମାର୍କେଟିଂ ଫେଡେରେସନ(ମାର୍କଫେଡ)ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର ସନ୍ତୋଷ କୁମାର ନାୟକଙ୍କୁ ଅବ୍ୟାହତି ଦେଇଛନ୍ତି। ତାଙ୍କ ସ୍ଥାନରେ ୨୦୧୨ ବ୍ୟାଚ୍ ଆଇଏଏସ୍ ମନୀଷ ଅଗ୍ରୱାଲଙ୍କୁ ମାର୍କଫେଡ୍ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ମନୀଷ ଏବେ ଓଡ଼ିଶା କୋଅପରେଟିଭ ସୋସାଇଟି ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରୁଛନ୍ତି।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ୍ ସନ୍ତୋଷ ନାୟକ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ସହ ମାର୍କଫେଡ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଗୁରୁବାର ଦିନ ସରକାର ଶ୍ରୀ ନାୟକଙ୍କୁ ମାର୍କଫେଡରୁ ହଟାଇ ଦେଇ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୂର୍ଣ୍ଣକାଳୀନ ଦାୟିତ୍ୱ ସହ କୋଅପରେଟିଭ ସୋସାଇଟିର ଅଡିଟର ଜେନେରାଲ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରିଛନ୍ତି।
