ଭୁବନେଶ୍ୱର:ଓଡ଼ିଶାର ସମଗ୍ର ଧାନ କ୍ରୟ ବ୍ୟବସ୍ଥା ଆଜି ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡ଼ିଛି। ରାଜ୍ୟ ତମାମ ଧାନ ମଣ୍ଡି ଗୁଡ଼ିକରେ ଭୟଙ୍କର ଅରାଜକତା ପରିସ୍ଥିତି ଦେଖାଦେଇଛି । ଟୋକେନ ଆସୁ ନାହିଁ, ଧାନ ଉଠୁ ନାହିଁ,ଚାଷୀ ତାଙ୍କ ନ୍ୟାୟ ସଂଗତ ଦେୟ ପାଉ ନାହାଁନ୍ତି ।ଉପକୁଳ ଓଡ଼ିଶାର ଅନେକ ଜିଲ୍ଲାରେ ଏଯାଏଁ ଧାନ ମଣ୍ଡି ମଧ୍ୟ ଖୋଲାଯାଇ ନାହିଁ । ଏହା ବିଜେପି ସରକାରର ଚାଷୀ ବିରୋଧୀ ନୀତିକୁ ନଗ୍ନ ଭାବେ ପ୍ରକାଶ କରୁଛି। ଆନ୍ଦୋଳନରତ ଚାଷୀଙ୍କୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କଟାକ୍ଷ କରି କହୁଛନ୍ତି ଯେ ଚାଷୀମାନେ ନୌଟଙ୍କି କରିଛନ୍ତି । ଏହା ରାଜ୍ୟର ଅନ୍ନଦାତାଙ୍କ ତାତ୍ସଲ୍ୟ ଏବଂ ନିଷ୍ଠୁର ଉପହାସ । ଚାଷୀ ବିରୋଧୀ ମନ୍ତବ୍ୟ କୁ ସି.ପି. ଆଇ. (ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ଦୃଢ଼ ଭାବରେ ନିନ୍ଦା ଏବଂ ପ୍ରତିବାଦ କରୁଛି।ମାସ ମାସ ଧରି କଠିନ ପରିଶ୍ରମ କରି ଧାନ ଚାଷ କରିଥିବା ଚାଷୀ ଆଜି ମଣ୍ଡିରେ ଅପମାନିତ, ଉପେକ୍ଷିତ ଓ ସଂଗଠିତ ଠକାମୀ ର ଶିକାର ହେଉଛି।ଧାନ କିଣିବାରେ ସରକାରଙ୍କର ଅପାରଗ ଏବଂ ବିଫଳ ପରିଚାଳନା ଚାଷୀଙ୍କୁ ଦଲାଲ ଓ ମିଲର ହାତରେ ବନ୍ଧକ କରି ଦେଇଛି।ସର୍ବନିମ୍ନ ସହାୟକ ମୂଲ୍ୟ କେବଳ କାଗଜରେ ଅଛି,ବାସ୍ତବ ରେ ଚାଷୀ ଉପଯୁକ୍ତ ମୂଲ୍ୟ ପାଉନାହିଁ।ବିଜେପି ସରକାର ଚାଷୀ ହିତର ମିଥ୍ୟା ପ୍ରଚାର କରୁଛି, କିନ୍ତୁ ବାସ୍ତବ କ୍ଷେତ୍ର ରେ ଚାଷୀ ଋଣ ଓ ଅଭାବୀ ବିକ୍ରୀ ଭଳି ନାନାଦି ଦୁର୍ଦ୍ଦଶା କୁ ସମ୍ମୁଖୀନ ହେଉଛି। ଏହି ଅବସ୍ଥା କେବଳ ପ୍ରଶାସନିକ ବିଫଳତା ନୁହେଁ, ଏହା ସରକାରଙ୍କର ଏକ ନୀତିଗତ ବିଫଳତାକୁ ଦର୍ଶାଉଛି।ସି .ପି. ଆଇ.(ଏମ୍) ଓଡ଼ିଶା ରାଜ୍ୟ ସମ୍ପାଦକମଣ୍ଡଳୀ ଦୃଢ଼ ଭାବେ ଦାବି କରୁଛି—ସମସ୍ତ ଧାନ ମଣ୍ଡି ତୁରନ୍ତ କାର୍ଯ୍ୟକ୍ଷମ କରାଯାଉ,ଟୋକେନ ପ୍ରଣାଳୀର ଅବ୍ୟବସ୍ଥା ରେ ତୁରନ୍ତ ସୁଧାର ଅଣାଯାଉ,ଧାନ ଉଠାଣ ତ୍ୱରାନ୍ୱିତ କରାଯାଉ,ଚାଷୀଙ୍କ ସମ୍ପୂର୍ଣ୍ଣ ଦେୟ ସମୟସୀମା ଭିତରେ ଦିଆଯାଉ ଏବଂ ଉପକୁଳ ଓଡ଼ିଶା ସହ ସମସ୍ତ ଅଞ୍ଚଳରେ ମଣ୍ଡି ତୁରନ୍ତ ଖୋଲାଯାଉ ।ଯଦି ସରକାର ତୁରନ୍ତ ହସ୍ତକ୍ଷେପ ନ କରନ୍ତି ସି.ପି.ଆଇ.(ଏମ୍) ଚାଷୀଙ୍କୁ ଏକତ୍ରିତ କରି ରାଜ୍ୟବ୍ୟାପୀ ଆନ୍ଦୋଳନ ଗଢ଼ି ତୋଳିବ।ଚାଷୀଙ୍କ ଏକତା ଏବଂ ଆନ୍ଦୋଳନ ହିଁ ବିଜେପି ସରକାରର ଚାଷୀ ବିରୋଧୀ ନୀତିକୁ ପ୍ରତିହତ କରିପାରିବ।
