ପୁରୀ: ଅନେକ ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିରରେ ଘିଅ ବ୍ୟବହାର ନେଇ ବିବାଦ ଉପୁଜିଛି । ଶ୍ରୀମନ୍ଦିର ପରିସରରେ ଓମଫେଡ ଘିଅ ବଦଳରେ ବାହାରୁ ଅନ୍ୟ ଖୋଲା ଘିଅ ମିଳିଥିବାବେଳେ ଏହାକୁ ଜବତ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗକୁ ସୂଚିତ କରିଛି ଶ୍ରୀମନ୍ଦିର ପ୍ରଶାସନ ।ଏହା ସହିତ ପୁରୀ ବୀର ହରେକୃଷ୍ଣପୁରର ଶ୍ରୀରବୀନ୍ଦ୍ର ବାରିକ ଏବଂ ଶ୍ରୀଜମେଶ୍ୱର ସୁଆରଙ୍କୁ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ଏହାର ସନ୍ତୋଷଜନକ ଉତ୍ତର ରଖିବାକୁ ୭ ଦିନିଆ ନୋଟିସ ଜାରି କରାଯାଇଛି ।ତେବେ ପୂର୍ବରୁ ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ଘିଅ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନକରେ ସେଥିପ୍ରତି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେବା ସହ ତଦନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗାକୁ ଅବଗତ କରାଯାଇଥିଲା । ଏହାସହ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ଏବଂ ଶ୍ରୀମନ୍ଦିର କମାଣ୍ଡରଙ୍କୁ ଏଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବାହାର ଖୋଲା ଘିଅ ଶ୍ରୀମନ୍ଦିର ପରିସରକୁ ନେବାକୁ ଉଦ୍ୟମ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସତର୍କ କରାଇଥିଲେ l
