ଭୁବନେଶ୍ୱର: ୨୦୨୫-୨୬ ଡଲଫିନ୍ ଗଣନାରୁ ମିଳିଥିବା ତଥ୍ୟ ଅନୁଯାୟୀ ଚିଲିକା ସମେତ ଓଡ଼ିଶା ଉପକୂଳରେ ବିଭିନ୍ନ ପ୍ରଜାତିର ୭୬୫ଟି ଡଲଫିନ୍ ରହିଛନ୍ତି । ରାଜ୍ୟରେ ଚିଲିକା ପ୍ରସିଦ୍ଧ ଇରାୱାଡି ସହ ବୋଟଲନୋଜ୍, ହମ୍ପବ୍ୟାକ୍, ସ୍ପିନର, ଫିନ୍ଲେସ୍ ପ୍ରଜାତିର ଡଲଫିନ ଦେଖିବାକୁ ମିଳୁଛି। ଚିଲିକା ହ୍ରଦରେ ବିଶ୍ୱସ୍ତରରେ ଗୁରୁତ୍ୱ ବହନ କହୁଥିବା ଏରାୱାଡି ଡଲଫିନ୍ଙ୍କଠାରୁ ଆରମ୍ଭ କରି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ହମ୍ପବ୍ୟାକ୍ ଡଲଫିନ୍ଙ୍କ ଉପସ୍ଥିତି ଓଡ଼ିଶାକୁ ବିଶ୍ବ ଦରବାରରେ ପରିଚିତ କରାଇଛି । ଜାନୁଆରି ମାସରେ କରାଯାଇଥିବା ଡଲଫିନ୍ ଗଣନାରୁ ଜଣାପଡ଼ିଛି ଯେ ରାଜ୍ୟରେ ମୋଟ ୨୦୮ଟି ଏରୱାଡି ଡଲଫିନ୍ ରହିଛନ୍ତି । ସେଥିମଧ୍ୟରୁ ୧୫୯ଟି କେବଳ ଚିଲିକାରେ ଦେଖାଯାଇଥିବାବେଳେ ରାଜନଗରରେ ୯ଟି ଚିହ୍ନଟ ହୋଇଛନ୍ତି । ଏହି ଦୁଇ ରେଞ୍ଜ ବ୍ୟତୀତ ବାଲେଶ୍ବର ବନ୍ୟପ୍ରାଣୀ ଡିଭିଜନ୍ରେ ୧୫, ବ୍ରହ୍ମପୁର ବନ୍ୟପ୍ରାଣୀ ଡିଭିଜନ୍ରେ ୧୩ ଓ ପୁରୀ ବନ୍ୟପ୍ରାଣୀ ଡିଭିଜନ୍ରେ ୧୨ଟି ଡଲଫିନ୍ ନଜରକୁ ଆସିଥିଲେ । ସର୍ଭେ ସମୟରେ ଚିଲିକା ହ୍ରଦରେ ବିଲୁପ୍ତପ୍ରାୟ ଏରାୱାଡି ଡଲଫିନ୍ଙ୍କ ବହୁ ଆବାସ ସ୍ଥଳ ରହିଥିବା ଦେଖାଯାଇଛି । ଚିଲିକାରେ ବାସ କରୁଥିବା ଡଲଫିନ୍ ସାମୁଦ୍ରିକ ପ୍ରଜାତି ବନ୍ୟପ୍ରାଣୀ(ସୁରକ୍ଷା) ଆଇନ ୧୯୭୨ ଅଧୀନରେ ଆସୁଥିବାରୁ ସେମାନଙ୍କ ବାସସ୍ଥାନ ବିକଶିତ ଦିଗରେ ପଦକ୍ଷେପ ନିଆଯାଉଛି । ରାଜନଗର ବନ୍ୟପ୍ରାଣୀ ଡିଭିଜନରେ ଏମାନଙ୍କ ସଂଖ୍ୟା ବହୁତ କମ୍ ରହିଛି । ତେବେ ବ୍ରହ୍ମପୁର, ପୁରୀ ଓ ବାଲେଶ୍ବର ବନ୍ୟପ୍ରାଣୀ ଡିଭିଜନ୍ରେ ଏରାୱାଡିଙ୍କ ଉପସ୍ଥିତିକୁ ନେଇ ବିଶେଷଜ୍ଞମାନେ ବେଶ୍ ଆଶାବାଦୀ ରହିଛନ୍ତି ।
