ନୂଆଦିଲ୍ଲୀ:ଇରାନରେ ସର୍ବୋଚ୍ଚ ନେତା ଖାମେନେଇଙ୍କ ବିରୋଧରେ ଜାରି ବିକ୍ଷୋଭ ସାରା ଦେଶରେ ଉଗ୍ର ହେବାରେ ଲାଗିଛି । ବିପଦରେ ଖାମେନେଇଙ୍କ ଗାଦି । ଦେଶରେ ୧୦୦ ସହରରେ ବ୍ୟାପିଛି ବିଦ୍ରୋହର ନିଆଁ । ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନରେ ଏବେ ପର୍ଯ୍ୟନ୍ତ ପ୍ରାୟ ୬୨ ଜଣଙ୍କ ମୃତ୍ୟୁ ଘଟିଲାଣି । ୨,୩୦୦ ଜଣଙ୍କୁ ଗିରଫ କରାଯାଇଛି l ୧୪ ଦିନ ଧରି ପ୍ରତିବାଦ ଜାରି ରହିଛି । ସୂଚନା ଅନୁଯାଇ ଖାମେନେଇ ସରକାର ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଛନ୍ତି ଏଥିରେ ପ୍ରାୟ ୨୦୦ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇ ଏହି ପ୍ରତିବାଦ ପାଇଁ ଆମେରିକାକୁ ଦାୟୀ କରିଛନ୍ତି । ବିକ୍ଷୋଭକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି ସରକାର ।ଇରାନ୍ରେ ଚାଲିଥିବା ବିଦ୍ରୋହ ଉପରେ ନଜର ରଖିଛି ଆମେରିକା । ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଇରାନ୍କୁ ଚେତାବନୀ ଦେଇ ଆସୁଛନ୍ତି । ପୁଣି ଇରାନକୁ ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି, ”ଆମେ ତାଙ୍କୁ ସେଇଠି ମାରିବୁ ଯେଉଁଠି ତାଙ୍କୁ ଅଧିକ କଷ୍ଟ ହେବ । ପ୍ରଦର୍ଶନକାରୀଙ୍କ ହତ୍ୟା କରାଯାଏ ତ ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଇରାନ୍ ଗୁଳି ଚଳାଇବ ତ ଆମେ ବି ଚୁପ୍ ବସିବୁ ନାହିଁ ।
