ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି, ସେବାପୂଜା, ବିଧି ଏବଂ ପର୍ବପର୍ବାଣିକୁ ଶୃଙ୍ଖଳିତ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ମନ୍ଦିରର ରେକର୍ଡ ଅଫ୍ ରାଇଟସ୍ର ଅନୁଧ୍ୟାନ ଓ ବିଶ୍ଳେଷଣ କରିବା ପାଇଁ ଦୁଇ ଜଣିଆ କମିଟି ଗଠିତ ହୋଇଥିଲା । ଏହି ଦୁଇ ଜଣିଆ କମିଟି ଶୁକ୍ରବାର ଅପରାହ୍ନରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଅନ୍ତରିଣ ରିପୋର୍ଟ ପ୍ରଦାନ କରିଛନ୍ତି ।ଅବସରପ୍ରାପ୍ତ ଜଷ୍ଟିସ ଡ. ଦୁର୍ଗା ପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ଥାଇ ଗଠିତ ଦୁଇଜଣିଆ କମିଟି ମନ୍ଦିର, ନିଯୋଗ, ସେବାପୂଜା ବାବଦରେ ଥିବା ବିଭିନ୍ନ ପୁରାତନ ନଥିକୁ ଅନୁଧ୍ୟାନ ସହ ମନ୍ଦିର ସହିତ ସଂଶ୍ଳିଷ୍ଟ ସେବାୟତ, ନିଯୋଗ ଆଦିଙ୍କ ସହ ଆଲୋଚନା କରି ପ୍ରସ୍ତୁତ ଏହି ଅନ୍ତରିଣ ରିପୋର୍ଟ ପ୍ରଦାନ କରିଛନ୍ତି ।
