ନୀଳଗିରି: ପଥର ଚୋରିରେ ସମ୍ପୃକ୍ତ ଜିଲା ପରିଷଦ ସଭ୍ୟ ଗତିକୃଷ୍ଣ, ବିଜେଡି ନେତା ଗଙ୍ଗାଧରଙ୍କ ଭିତରେ କନ୍ଦଳ ସୃଷ୍ଟି ହେବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ମିଳିଥିବା ଖବର ଅନୁସାରେ, ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଅଧୀନ ଡମ୍ବୁରୁଘାଟିରେ ଚୋରା ପଥର ଖାଦାନ ଚାଲିଥିବା ଶୁଣି ଗତ ୨୧ତାରିଖରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଅଚାନକ ଖଣି ଓ ବନ ବିଭାଗ ଅଧିକାରୀଙ୍କୁ ଧରି ସେଠାରେ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ୨ଟି ପ୍ରୋକଲିନ ମେସିନ ଓ ବିସ୍ଫୋରକ ଜବତ କରାଯାଇଥିଲା। ସାଂସଦଙ୍କ ଚଢ଼ଉ ପରେ ଖଣି ବିଭାଗ ପକ୍ଷରୁ ନୀଳଗିରିରେ ଥାନାରେ ଏକ ଏତଲା ଦିଆଯାଇଥିଲା। ଏତଲା ତାଲିକାରେ ୧୩ନଂ ଜୋନ ଜିଲାପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ବିଜେଡିର ପୂର୍ବତନ ବ୍ଲକ ସଭାପତି ଗଙ୍ଗାଧର ମିଶ୍ରଙ୍କ ସମେତ ୯ଜଣଙ୍କ ନାଁ ଆସିବା ପରେ ସମ୍ପ୍ରତି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏହି ଘଟଣା ପଛରେ କାହାର ଚାପ ପ୍ରୟୋଗ ହୋଇଛି ବୋଲି ସନ୍ଦେହ କରି ନୀଳଗିରିରେ ବିଜେପି, ବିଜେଡି କର୍ମୀଙ୍କ ଭିତରେ ବିଦ୍ରୋହ ଆରମ୍ଭ ହୋଇଛି। ସେପଟେ କାହା ଚାପରେ ରାଜନେତାଙ୍କ ନାମ ଏତଲାରେ ଭର୍ତ୍ତି କରାଗଲା ବୋଲି ଉଭୟ ନେତା ପ୍ରଶ୍ନ କରିଛନ୍ତି। ଜଣେ ରାଜନେତା ଓ ତାଙ୍କ କର୍ମଚାରୀଙ୍କ ଚାପରେ ଖଣି ବିଭାଗ ଏତଲା ଦେବା ଘଟଣାକୁ ଉଭୟ ନେତା ନିନ୍ଦା କରିଛନ୍ତି। ଏନେଇ ଆଇନର ଦ୍ବାରସ୍ଥ ହେବେ ବୋଲି ଗତିକୃଷ୍ଣ ସୂଚନା ଦେଇଛନ୍ତି। ସେହିପରି ବିଜେଡି ନେତା ଗଙ୍ଗାଧର କହିଛନ୍ତି ଯେ, ଏହି ଚୋରା କାରବାରରେ କୌଣସି ସମ୍ପୃକ୍ତି ନଥିବା ବେଳେ କ୍ଷମତାର ଦୂରୁପୋଯୋଗ କରାଯିବା ପ୍ରତିବାଦରେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି ଜଣାଇଛନ୍ତି ।
