ଭୁବନେଶ୍ୱର:ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କିପରି ପ୍ରକୃତ ଚାଷୀମାନଙ୍କୁ ବଞ୍ଚିତ କରୁଛି, ତାହା ଆଜି ଓଡ଼ିଶାର ଚାଷୀକୂଳ ଭଲଭାବେ ହୃଦୟଙ୍ଗମ କରୁଛି। ଫସଲ ବୀମା ଭରଣ ପ୍ରକ୍ରିୟାରେ ଭାଗଚାଷୀମାନଙ୍କୁ ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ଅଣଦେଖା କରାଯାଉଥିବା ସହ ଲାଞ୍ଚ, ପ୍ରିୟା–ପ୍ରୀତି ଓ ମିଛ ତଥ୍ୟ ମାଧ୍ୟମରେ କିଛି ସମିତି ସମ୍ପାଦକ ଓ ଦଲାଲମାନେ ଅବୈଧ ଭାବେ ଲାଭାନ୍ବିତ ହେଉଛନ୍ତି।ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ଦୁର୍ନୀତିମୂଳକ ପ୍ରଣାଳୀରେ ସମ୍ପାଦକଙ୍କ ପକେଟ ଗରମ ହେବା ପରେ ମାତ୍ର ଫସଲ ବୀମାର ଟଙ୍କା ଚାଷୀଙ୍କ ଖାତାକୁ ପହଞ୍ଚୁଛି। ଏହା ଏକ ଗୁରୁତର ଅନ୍ୟାୟ ଓ ସରକାରୀ ଯୋଜନାର ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ ଭାବେ ବିପଥଗାମୀ କରୁଛି।ଏହାଠାରୁ ଅଧିକ ଆଶ୍ଚର୍ଯ୍ୟର ବିଷୟ ହେଲା—ଏପରି ବେଆଇନ କାର୍ଯ୍ୟର କର୍ଣ୍ଣଧାର ସାଜିଥିବା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କକୁ ପୁରସ୍କୃତ କରାଯାଉଛି। ଏହି ଘଟଣା ସରକାରଙ୍କର ଚାଷୀମାନଙ୍କ ପ୍ରତି ଦରଦ ଓ ନୀତିଗତ ସ୍ପଷ୍ଟତାକୁ ନେଇ ଗଭୀର ପ୍ରଶ୍ନ ଉଠାଉଛି।ପ୍ରକୃତ ଚାଷୀଙ୍କ ପ୍ରତି ଏହା ଉପହାସ ସମାନ। ତୁରନ୍ତ ଏହି ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଭାଗଚାଷୀମାନଙ୍କୁ ଯୋଜନାର ସୁବିଧା ଦେବାକୁ ଆମେ ଦାବି କରୁଛୁ।
