ଭୁବନେଶ୍ଵର: ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଭାରତର ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଛି ଓଡ଼ିଶାର ପ୍ରଜ୍ଞାପନ ମେଢ। ସ୍ଵଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାଂପ୍ରତିକ ଭାରତକୁ ସମୃଦ୍ଧ ଓ ଆତ୍ମନିର୍ଭର ଭାରତରେ ପରିଣତ କରିବା ଦୃଷ୍ଟିକୋଣକୁ ନେଇ ଚଳିତ ବର୍ଷ ପାଇଁ ପ୍ରଜ୍ଞାପନ ମେଢର ବିଷୟବସ୍ତୁ ‘ସମୃଦ୍ଧିର ମନ୍ତ୍ର, ଆତ୍ମନିର୍ଭର ଭାରତ’ ଆଧାରରେ ଓଡ଼ିଶାର ପ୍ରଜ୍ଞାପନ ମେଢରେ କୃଷିରୁ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ଗଠନରେ ଓଡ଼ିଶାର ଅବଦାନ ଦେଖିବାକୁ ମିଳିଥିଲା।ପ୍ରଜ୍ଞାପନ ମେଢରେ ଓଡ଼ିଶାର କୃଷି ଓ ସାଂସ୍କୃତିକ ସମୃଦ୍ଧିରୁ ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ ଏବଂ ନବସୃଜନ ଓ ପ୍ରଯୁକ୍ତିର ଏକ ସମ୍ମିଳିତ ଦୃଶ୍ୟ ଉପସ୍ଥାପନ କରାଯାଇଥିଲା । ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ଵୟ ରଖି ଓଡ଼ିଶା ତାହାର ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ, ମାନବ ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟାର ସଫଳ ଉପଯୋଗରେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ନିଜର ପ୍ରତିବଦ୍ଧତାକୁ ବିଶ୍ଵ ସମ୍ମୁଖରେ ପ୍ରଦର୍ଶିତ କରିଛି। କୃଷି, ଶିଳ୍ପ, ଅର୍ଥନୀତି, ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ସମାଧାନ ଆଦି ବିଭିନ୍ନ ପ୍ରତୀକାତ୍ମକ ଉପାଦାନଗୁଡ଼ିକୁ ଏକତ୍ରୀତ କରି, ପ୍ରସ୍ତୁତ ରାଜ୍ୟର ସାମଗ୍ରିକ ବିକାଶ ମଡେଲ ଏବଂ ଭାରତର ସାମାଜିକ ଓ ଅର୍ଥନୈତିକ ପ୍ରଗତିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରତିଫଳିତ କରିବାକୁ ଯାଇ, ପ୍ରଜ୍ଞାପନ ମେଢର ବିଭିନ୍ନ ଅଂଶରେ କୋରାପୁଟ କଫିରୁ ସିଲିକନ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ନିରନ୍ତର ଯାତ୍ରାକୁ ଉପସ୍ଥାପନ କରାଯାଇଥିଲା।
