ଭୁବନେଶ୍ୱର: ରାଜ୍ୟ ସମବାୟ ବିଭାଗ ପକ୍ଷରୁ ସମବାୟ ଆଇନ ସଂଶୋଧନ ଓ ତାହାକୁ ଆଇନ ରୂପ ଦେବା ପାଇଁ ଘନଘନ ବୈଠକ ଚାଲିଥିବା ସତ୍ତ୍ୱେ, ପ୍ରାୟ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟ ନୀତି ଏପର୍ଯ୍ୟନ୍ତ ଅନ୍ତିମ ରୂପ ନେଇପାରିନାହିଁ। ରେକର୍ଡ ଅନୁଯାୟୀ, ସମବାୟ ବିଭାଗର ଚିଠି ସଂଖ୍ୟା–୭୪୨୦, ତା. ୧୭/୦୮/୨୦୨୨ ଅନୁସାରେ ରାଜ୍ୟ ନୀତି ପ୍ରସ୍ତୁତି ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ କମିଟିର ମେଣ୍ଟର ଭାବେ ଶ୍ରୀ ଗୋପବନ୍ଧୁ ଶତପଥୀ, ଆଇଏଏସ ନିଯୁକ୍ତ ଥିଲେ। ସେତେବେଳେ ସମବାୟ ବିଭାଗର ସଚିବ ଥିଲେ ଶ୍ରୀ ସଞ୍ଜୀବ କୁମାର ଚଢ଼ା, ଆଇଏଏସ ଡ୍ରାଫ୍ଟିଂ କମିଟିରେ ଶ୍ରୀ ସୁରଦର୍ଶନ ସେଠୀ, ଓଏଏସ, ଶ୍ରୀମତୀ ଗାୟତ୍ରୀ ପଟ୍ଟନାୟକ, ଶ୍ରୀ ବିରଜା ଶତପଥୀ ଓ ଶ୍ରୀମତୀ ସ୍ୱାତୀବାଳା ମହାପାତ୍ର ସଦସ୍ୟ ଭାବେ ଥିଲେ।

ରାଜ୍ୟ ସମବାୟ ବିଭାଗ ଦ୍ୱାରା/ ୨୦୨୨ ମସିହାରେ ରାଜ୍ୟ ନୀତି ପ୍ରସ୍ତୁତ କରାଯାଇଥିବା କଥା ସରକାରୀ ରେକର୍ଡରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କିନ୍ତୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସମ୍ମିଳିତ କମିଟି ଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଉକ୍ତ ରାଜ୍ୟ ନୀତି କୁ ଅନ୍ତିମ ରୂପ ଦେଇ କାର୍ଯ୍ୟକାରୀ କରାଯାଇନାହିଁ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ଚିନ୍ତାଜନକ ଯେ, ପ୍ରାୟ ୪ ବର୍ଷ ବିତି ଯାଇଥିବା ସତ୍ତ୍ୱେ ଏପରି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ନୀତି ଫାଇନାଲ ନହେବା ପଛରେ କୌଣସି ସଠିକ୍ କାରଣ ସାର୍ବଜନୀନ ଭାବେ ଆଜି ପର୍ଯ୍ୟନ୍ତ ଉପସ୍ଥାପିତ କରାଯାଇନାହିଁ। ଏପରି ଅଯୁକ୍ତିସଂଗତ ବିଳମ୍ବ ରାଜ୍ୟର ସମବାୟ ବ୍ୟବସ୍ଥା, ପ୍ରଶାସନିକ ପାରଦର୍ଶିତା ଓ ସୁଶାସନର ମୂଳ ନୀତିକୁ ଗମ୍ଭୀର ପ୍ରଶ୍ନର ସମ୍ମୁଖୀନ କରୁଛି। ଏହି ପରିପ୍ରେକ୍ଷିତରେ ମୁଖ୍ୟ ପ୍ରଶ୍ନ— ରାଜ୍ୟ ସମବାୟ ବିଭାଗ କାହିଁକି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଓଡ଼ିଶାରେ ରାଜ୍ୟ ନୀତି କାର୍ଯ୍ୟକାରୀ କରିବାରେ ବିଫଳ? ଏହି ଦୀର୍ଘ ବିଳମ୍ବ ପାଇଁ କେଉଁ ଅଧିକାରୀ କିମ୍ବା କେଉଁ ବିଭାଗୀୟ ସ୍ତରରେ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇଛି? ଉକ୍ତ ବିଷୟରେ ସ୍ପଷ୍ଟତାର ଅଭାବ ନିଜେ ନିଜେ ଏକ ପ୍ରଶାସନିକ ଅବହେଳାର ସଂକେତ, ଯାହା ଉପରେ ତୁରନ୍ତ ଉଚ୍ଚସ୍ତରୀୟ ମନିଟରିଂର ଅତ୍ୟାବଶ୍ୟକ ହୋଇପଡ଼ିଛି। ଏହା କୌଣସି ବ୍ୟକ୍ତିଗତ ପ୍ରଶ୍ନ ନୁହେଁ; ବରଂ ରାଜ୍ୟର ସମବାୟ ସଂସ୍ଥାମାନେ ଓ ସାଧାରଣ ଜନତାଙ୍କ ସହ ସଂପୃକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ହିତର ବିଷୟ। କେବେ ହେବ ନୂଆ ସମବାୟ ଆଇନ? ନୂଆ ଆଇନ ପ୍ରଣୟନ ପରେ ସମବାୟ କେସ୍ଗୁଡ଼ିକରେ କୋର୍ଟ ଜିତିବ, ନା ବିଭାଗ l ଏହାର ଉତ୍ତର ସମୟ ଦେବ।
