ଭୁବନେଶ୍ୱର: ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମରେ ଗତକାଲି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଗୃହ ନିର୍ମାଣ ସମବାୟ ନିଗମର କର୍ମଚାରୀମାନଙ୍କ ସହ କିଛି ନିର୍ଦ୍ଦିଷ୍ଟ ପରିଚାଳନା କମିଟି ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି।ବୈଠକରେ ସମବାୟ ବିଭାଗର କମିଶନର ତଥା ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ଆଦେଶକୁ ନେଇ ପ୍ରଶ୍ନ ଉଠିଥିଲା। ବିଶେଷକରି ଶ୍ରୀମତୀ ଗାୟତ୍ରୀ ପଟ୍ଟନାୟକଙ୍କୁ ଜେନେରାଲ ମ୍ୟାନେଜର (GM) ଭାବେ ଦାୟିତ୍ୱ ଦେବା ନେଇ କିଛି ସଦସ୍ୟ ଆପତ୍ତି ଜଣାଇଥିବା ସୂଚନା ମିଳିଛି। ସେଥିପାଇଁ କିଛି ସଦସ୍ୟ ତାଙ୍କୁ କୌଣସି ଫାଇଲ ନ ଦେବା ପାଇଁ ମତ ପ୍ରକାଶ କରିଥିବା ମଧ୍ୟ ଜଣାପଡ଼ିଛି।

ଏହା ସହିତ, ଏହି ବିଷୟରେ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି।ଖବର ନେବାରେ ଆହୁରି ଜଣାପଡ଼ିଛି ଯେ, କିଛି ଦିନ ପୂର୍ବରୁ ରେଜିଷ୍ଟ୍ରାର ଅଫ କୋଅପରେଟିଭ ସୋସାଇଟିଜ୍ (RCS), ଓଡ଼ିଶାଙ୍କ ଅନୁମତି ବିନା କୋଟି କୋଟି ଟଙ୍କାର ସମ୍ପତ୍ତି ବିକ୍ରୟ ହୋଇଥିବା ଅଭିଯୋଗ ଆସିଥିଲା। ଏହା ସମ୍ବନ୍ଧରେ ତଦନ୍ତ ସମାପ୍ତ ହୋଇଥିଲେ ମଧ୍ୟ, ସେହି ଫାଇଲ ଏପର୍ଯ୍ୟନ୍ତ RCS ଓଡ଼ିଶାଙ୍କ ପାଖରେ ରହିଥିବା ବୋଲି ସୂଚନା ମିଳୁଛି।ଶ୍ରୀମତୀ ଗାୟତ୍ରୀ ପଟ୍ଟନାୟକ ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମର ଦାୟିତ୍ୱ ନେବା ପରେ ଅନେକ ବେନିୟମ କାର୍ଯ୍ୟରେ ରୋକ ଲାଗିଥିବାରୁ କିଛି ବିଶିଷ୍ଟ କର୍ମଚାରୀଙ୍କ ଚକ୍ରାନ୍ତରେ ଏହି ଘଟଣା ଘଟିଥିବା ଅଭିଯୋଗ ଉଠୁଛି।ଏହି ଘଟଣାର ତୁରନ୍ତ ସଠିକ୍ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କୁ ଦାବି କରାଯାଇଛି।
