ଭୁବନେଶ୍ୱର: ଗାଡି ଦାୟିତ୍ୱରେ ଥିବା ମେସିନ ପରିଚାଳକ, ଦ୍ରୁତ ଗତିରେ ଗାଡି ଚାଳନା ଓ ବିନା ସିଟ୍ ବେଲ୍ଟ ଲଗାଇ ଗାଡି ଚାଳକମାନଙ୍କ ଠାରୁ ମନଇଚ୍ଛା ଜରିମାନା କରୁଥିବା ଅଭିଯୋଗ ହୋଇଛି । ରାସ୍ତାରେ ଯିବା ଆସିବା କରୁଥିବା ଗାଡି ଚାଳକ ମାନଙ୍କ ଡ୍ରାଇଭିଂ ଲାଇସେନ୍ସ ଥିବା ସତ୍ତ୍ୱେ ନଥିବା ଦର୍ଶାଇ ଜରିମାନା କରାଯାଉଛି । ଫଳରେ ଲୋକେ ପରିବହନ କାର୍ଯ୍ୟାଳୟ ଯାଇ ହଇରାଣ ହରକତ ହେଉଛନ୍ତି । ସୂଚନା ଅନୁସାରେ ରାସ୍ତାରେ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟ ନେଇ ଦ୍ରୁତ ଗତିରେ ଚଳାଚଳ କରୁଥିବା ଗାଡି ମୋଟର ଓ ସିଟ ବେଲ୍ଟ ବ୍ୟବହାର ନ କରି ଗାଡି ଚାଳନା କରୁଥିବା ଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବହନ ବିଭାଗ ରାସ୍ତାରେ ଇଣ୍ଟରସେପ୍ଟର ଗାଡି ନିୟୋଜିତ କରିଛି । ଏହି ଗାଡିରେ ଥିବା କ୍ୟାମେରା ଓ ଅତ୍ୟାଧୁନିକ ମେସିନ ସହାୟତାରେ ରାସ୍ତାରେ ଚଳାଚଳ କରୁଥିବା ଯାନ ବାହାନର ଗତି ମପାଯାଇଥାଏ । ସମ୍ପୃକ୍ତ ରାସ୍ତାରେ ଧାର୍ଯ୍ୟ ଗତିରୁ ଅଧିକ ଗତିରେ ଯାନ ବାହାନ ଚଳାଚଳ କରୁଥିଲେ ଗାଡି ଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସଦୃଶ ଜରିମାନା ଆଦାୟ କରାଯାଉଛି । ସେଭଳି ଏହି ଚାଳକଙ୍କୁ ବିନା ଯାଞ୍ଚ କରି ଡ୍ରାଇଭିଂ ଲାଇସେନ୍ସ ନଥିବା ଦର୍ଶାଇ ଜରିମାନା ଆଦାୟ ହେଉଛି । ଜରିମାନା ପରେ ଚାଳକ ମାନେ ଆଶ୍ଚର୍ଯ୍ୟ ହେବା ସହିତ ନିକଟସ୍ଥ ପରିବହନ କାର୍ଯ୍ୟାଳୟକୁ ଯୋଗାଯୋଗ କରିବା ପରେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେବାକୁ କୁହାଯାଉଛି । ପରେ ଡ୍ରାଇଭିଂ ଲାଇସେନ୍ସ ବାବଦକୁ ଥିବା ଜରିମାନା ହଟାଇ ଦିଆଯାଉଛି । ୩ ମାସ ପର୍ଯ୍ୟନ୍ତ ଚାଳକଙ୍କ ସେହି ଡ୍ରାଇଭିଂଲାଇସେନ୍ସକୁ ବାତିଲ ମଧ୍ୟ କରାଯାଉଛି । ଯାହାକୁ ନେଇ ଚାଳକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।
