ପୁରୀ :ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାର୍ଶ୍ୱର ଉନ୍ନତିକରଣ ହେବ । ମନ୍ଦିରର ଚାରିପାଖରେ ସୌନ୍ଦର୍ଯ୍ୟକରଣ କାର୍ଯ୍ଯ ଓ ସୁନ୍ଦର ଉଦ୍ୟାନ କରାଯିବ । ବାହାର ବେଢ଼ା କାନ୍ଥର ବାହାର ପାର୍ଶ୍ୱକୁ ଆଲୋକିକରଣ କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବ । ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରକଳ୍ପ କାର୍ଯ୍ୟକୁ ୪ ମାସ ଭିତରେ ସାରିବାକୁ ଯୋଜନା ରହିଛି । କଳିଙ୍ଗ ମନ୍ଦିର କଳା ଅନୁରୂପ ସମସ୍ତ କାର୍ଯ୍ୟ ହେବ । ବେଢ଼ାରୁ ପ୍ଲାଷ୍ଟର ଛଡାଯାଇ ନଷ୍ଟ ହୋଇଥିବା ପଥର ସ୍ଥାନରେ ଖଣ୍ଡେଲାଇଟ୍ ପଥର ପକାଯିବ । ବେଢ଼ା କାନ୍ଥକୁ କେମିକାଲ ୱାସ କରାଯିବ । ଏବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଭିତରେ ଆବଶ୍ୟକ କାର୍ଯ୍ୟ କରାଯାଉଛି । ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ ପ୍ରକଳ୍ପରେ ସରକାର ୩୨ କୋଟି ୭ ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହା ୨୦୨୬ ମେ’ ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
