ଭୁବନେଶ୍ୱର:ବୁଧବାର ରାତି ପ୍ରାୟ 12:30 ସମୟରେ ସମ ହସ୍ପିଟାଲ ସମ୍ମୁଖରେ ଥିବା ଏକ ଚା’ ଦୋକାନରେ କିଛି ଦୁର୍ବୃତ୍ତ ଜବରଦସ୍ତି ପ୍ରବେଶ କରି ଭଙ୍ଗାରୁଜା କରିବା ସହ ଦୋକାନ ମାଲିକଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ।ଏହି ଆକ୍ରମଣରେ ଦୋକାନରେ ଉପସ୍ଥିତ ଥିବା ଜଣେ ଯୁବକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି l ତାଙ୍କ ବାମ ହାତ ଭାଙ୍ଗିଯାଇଛି ଏବଂ ତାଙ୍କର ସୁନା ଚେନ୍ ଜବରଦସ୍ତି ସେମାନେ ଛିଣ୍ଡେଇ ନେଇଯାଇଛନ୍ତି।ଦୁର୍ବୃତ୍ତମାନେ ଦୋକାନ ମାଲିକଙ୍କ ମୋବାଇଲ ଫୋନ୍, ଟଙ୍କା ଓ ପର୍ସ ଲୁଟିନେଇଥିବା ସହ ସେଠାରେ ଥିବା ଅନ୍ୟ ପିଲାମାନଙ୍କୁ ମଧ୍ୟ ପ୍ରବଳ ମାଡ଼ ମାରି ଗୁରୁତର ଆହତ କରିଥିଲେ। ବର୍ତ୍ତମାନ ସମସ୍ତ ପୀଡ଼ିତ ବ୍ୟକ୍ତି ସମ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ହେଲେ ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଦୟନୀୟ ଓ ଚିନ୍ତାଜନକ ଅଛି।ଘଟଣା ସମ୍ପର୍କରେ ପିସିଆର ଦଳ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୋକାନ, ପୀଡ଼ିତ ମାନଙ୍କ ସହିତ ଘଟଣାସ୍ଥଳର ଫଟୋ ଏବଂ ପ୍ରମାଣ ସଂଗ୍ରହ କରିଥିଲେ।ପୀଡ଼ିତମାନଙ୍କ କହିବା ଅନୁଯାୟୀ, ଏହି ଆକ୍ରମଣରେ ଜଡିତ ଅଭିଯୁକ୍ତମାନେ ପିଣ୍ଟା, ବାପି ଓ ବିଶାଳ ନାମକ କୁଖ୍ୟାତ ଗୁଣ୍ଡା, ଯେଉଁମାନେ ପୂର୍ବରୁ ଦାଦାବଟି ସହିତ ଅନେକ ଅପରାଧିକ ମାମଲାରେ ଜେଲ୍ ଯାଇ ସାରିଥିବା ଜଣାପଡ଼ିଛିlଏହି ଘଟଣା ପରେ ସହରର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠିଛି ଏବଂ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି l
