ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ପକ୍ଷରୁ ଗରିବ ଓ ଅସହାୟ ପରିବାରର ଝିଅମାନଙ୍କ ବିବାହ ସହାୟତା ପାଇଁ “ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା” କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ବିବାହ ନିମନ୍ତେ ୫୧ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।ସେହିପରି, ବିବାହ ସମୟରେ କନ୍ୟାଙ୍କୁ ଆବଶ୍ୟକ ହେବାକୁଥିବା ଶାଢ଼ୀ, ଚୁଡ଼ି, ପାଉଁଜି, ଟିକିଲି ଆଦି ବିବାହ ସାମଗ୍ରୀ ମଧ୍ୟ ପ୍ରଦାନ କରାଯିବ। ଏହି ସମସ୍ତ ସାମଗ୍ରୀ ଉତ୍କଳିକା ମାଧ୍ୟମରେ କିଣାଯାଇ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।ଏନେଇ ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ବିଭାଗୀୟ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ବୟନ ଓ ହସ୍ତତନ୍ତ ବିଭାଗ ଅଧୀନରେ ଥିବା ଉତ୍କଳିକା ଓ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ମଧ୍ୟରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି।ଗାଇଡଲାଇନ ଅନୁଯାୟୀ, ଯୋଜନାର ଲାଭ ପାଇବାକୁ କନ୍ୟାଙ୍କ ବୟସ ନ୍ୟୁନତମ ୧୮ ବର୍ଷ ହେବା ଆବଶ୍ୟକ। ପ୍ରଥମ ଥର ବିବାହ କରୁଥିବା ଯୁବତୀଙ୍କ ସହିତ ବିଧବା ମହିଳାମାନେ ପୁନର୍ବିବାହ କଲେ ମଧ୍ୟ ଏହି ଯୋଜନାର ସୁବିଧା ପାଇପାରିବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।
