ଭୁବନେଶ୍ୱର:ଓଡିଶାର କଟକ ଜିଲ୍ଲା ଜଜ କୋର୍ଟ, ଫୁଲବାଣୀ କୋର୍ଟ ଓ ପୁରୀ ଜିଲ୍ଲା କୋର୍ଟକୁ ବୋମାରେ ଉଡେଇବାକୁ ଧମକ ଆସିଛି । ଅଜଣା ମେଲ୍ ଆଇଡିରୁ ଏହି ଧମକପୂର୍ଣ୍ଣ ମେସାଜ ଆସିଛି । କିଏ ଏବଂ କେଉଁଠାରୁ ଏହି ଧମକ ଦେଇଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ବୋମା ଧମକ ପରେ ୩ ଟି କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି । ଇମେଲ୍ ପାଇବା ପରେ ପୋଲିସ ତୁରନ୍ତ କୋର୍ଟ ଅଞ୍ଚଳକୁ ଘେରାବନ୍ଦୀ କରି ବୋମା ନିଷ୍କ୍ରିୟକାରୀ ଦଳକୁ ନିୟୋଜିତ କରିଛି । ବମ୍ ସ୍କ୍ୱାଡ୍ ଏବଂ ସ୍ନିଫର ଡଗ୍ ସମଗ୍ର ପରିସରରେ ପୁଙ୍ଖାନୁପୁଙ୍ଖ ତଲାସି ଆରମ୍ଭ କରିଛନ୍ତି । ପୋଲିସ ସୂତ୍ରଗୁଡ଼ିକ ନିଶ୍ଚିତ କରିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ, କିନ୍ତୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତଦନ୍ତ ଜାରି ରହିଛି । ଧମକପୂର୍ଣ୍ଣ ଇମେଲ କାଉଁଠୁ ଆସିଛି ତାହା ଜାଣିବା ପାଇଁ ସାଇବର ସେଲ୍ ଟିମ୍ କାର୍ଯ୍ୟ କରୁଛି ।
