ଭୁବନେଶ୍ୱର: ରାଜ୍ୟ ସମବାୟ ବ୍ୟବସ୍ଥାରେ ଏକ ନୂଆ ପ୍ରଚଳନ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସମବାୟ ସଂସ୍ଥାମାନଙ୍କର ସର୍ବୋଚ୍ଚ ବୈଠକ ଭାବରେ ପରିଚିତ ବାର୍ଷିକ ସାଧାରଣ ସଭା (AGM) କୁ “ଉତ୍ସବ” ଭାବେ ପାଳନ କରିବା ଉଦ୍ୟମ କେତେ ଦୂର ପର୍ଯ୍ୟନ୍ତ ଆଇନସମ୍ମତ – ସେନେଇ ପ୍ରଶ୍ନ ଉଠିଛି।ଆସନ୍ତା କାଲି ରାଜ୍ୟର ଆପେକ୍ସ ସମବାୟ ସଂସ୍ଥା ମାର୍କଫେଡ୍ ପକ୍ଷରୁ ବାର୍ଷିକ ସାଧାରଣ ସଭା ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସାଧାରଣତଃ ଏହି ବୈଠକରେ ମାର୍କଫେଡ୍ ର ସଦସ୍ୟମାନେ ଯୋଗଦେଇ ସଂସ୍ଥାର କାର୍ଯ୍ୟକଳାପ, ହିସାବକିତାବ ଓ ଭବିଷ୍ୟତ ନୀତି ଉପରେ ନିଜ ମତ ପ୍ରକାଶ କରିଥାନ୍ତି।୧୯୬୨ ର ସମବାୟ ଆଇନ ଓ ନିୟମ ଅନୁଯାୟୀ, ଏହି ବୈଠକକୁ ଆବଶ୍ୟକତା ଅନୁଯାୟୀ କେତେକ ବ୍ୟକ୍ତିଙ୍କୁ ଆମନ୍ତ୍ରିତ ସଦସ୍ୟ (Invitee) ଭାବେ ଡାକାଯାଇପାରେ, ଯାହା ସାଧାରଣତଃ ଆଧିକାରିକ ଚିଠି ମାଧ୍ୟମରେ କରାଯାଏ। କିନ୍ତୁ ଏହି ସଭାକୁ ଏକ “ଉତ୍ସବ” ଭାବରେ ପାଳନ କରିବା ପାଇଁ ବହୁ ବ୍ୟକ୍ତି ବିଶେଷଙ୍କୁ ଡାକାଯାଇଥିବା ଖବର ମିଳିଛି।ଖବର ଅନୁସାରେ, ଏହି ବୈଠକରେ ଆମନ୍ତ୍ରିତ ଅତିଥି ଭାବେ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଓଡିଶାର ସମବାୟ ନିବନ୍ଧକ ଶ୍ରୀ ସିଦ୍ଧାର୍ଥ ଦାସ ସହିତ ଅନ୍ୟାନ୍ୟ ବରିଷ୍ଟ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଏହା ସହିତ ସକାଳ ୧୧ଟା ସମୟରେ ଏକ ବିଶେଷ “ଉତ୍ସବ” କାର୍ଯ୍ୟକ୍ରମ ଆୟୋଜନ ପାଇଁ ବହୁ ବ୍ୟକ୍ତି ବିଶେଷଙ୍କୁ ଡାକାଯାଇଥିବା ସୂଚନା ମିଳିଛି। ବିଶେଷ କରି ବ୍ୟାଗ ଭିତରେ ବୁଲୁଥିବା ବିଭିନ୍ନ ସମବାୟ ସମିତିର କେତେକ ବରିଷ୍ଟ କର୍ମକର୍ତ୍ତାଙ୍କୁ ମଧ୍ୟ ଆମନ୍ତ୍ରଣ ଦିଆଯାଇଥିବା କୁହାଯାଉଛି।ସମବାୟ ବିଭାଗରେ ଏତେ ବରିଷ୍ଟ ଅଧିକାରୀ ଥିବା ସତ୍ତ୍ୱେ, ସର୍ବୋଚ୍ଚ ନୀତିଗତ ବୈଠକକୁ ଏଭଳି ଉତ୍ସବ ରୂପ ଦେବା କେତେ ଦୂର ପର୍ଯ୍ୟନ୍ତ ଆଇନ ଓ ପ୍ରଚଳିତ ପ୍ରଥା ସହ ସମଞ୍ଜସ — ତାହା ନେଇ ବିଭିନ୍ନ ମହଳରେ ଚର୍ଚ୍ଚା ଚାଲିଛି।ଜୟ ତୁ ସମବାୟ…
