ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲାରେ ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ ଏବଂ ସଶକ୍ତ କରିବା ଲକ୍ଷ୍ୟରେ ଉପ ନିବନ୍ଧକ, ସମବାୟ ସମିତି ସମୂହଙ୍କ ଅଧ୍ୟକ୍ଷତାରେ ଏକ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହିତ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ର CEO, ବିଭିନ୍ନ ଶାଖା ପରିଚାଳକ ଏବଂ LAMPCS ର ପରିଚାଳନା ନିର୍ଦ୍ଦେଶକମାନେ ଯୋଗଦେଇଥିଲେ।ବୈଠକରେ କୃଷି ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଅନୁତ୍ପାଦନଶୀଳ ସମ୍ପତ୍ତି (NPA) କମାଇବା, ବକେୟା ଋଣ ଆଦାୟକୁ ସୁଦୃଢ କରିବା ସହ ସମିତିଗୁଡ଼ିକର ବ୍ୟବସାୟିକ ବିବିଧକରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ଏଥିସହ ସାରର ସୁଷମ ବଣ୍ଟନ, ରବି ଚାଷ ପଞ୍ଜିକରଣର ଯାଞ୍ଚ ଓ ଅଦ୍ୟତନ, NLPS ସମ୍ବନ୍ଧୀୟ ବିଷୟବସ୍ତୁ ଏବଂ ଜମି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗର ସମାଧାନ ପାଇଁ ମଧ୍ୟ ଗଭୀର ଆଲୋଚନା କରାଯାଇଥିଲା।ବୈଠକରେ ସମସ୍ତ ସମବାୟ ସଂସ୍ଥାମାନଙ୍କୁ ସଂଘବଦ୍ଧ ଭାବେ କାର୍ଯ୍ୟ କରି କୃଷକମାନଙ୍କୁ ଅଧିକ ସୁବିଧା ଯୋଗାଇବା ସହ ସମବାୟ ବ୍ୟବସ୍ଥାକୁ ଆରୋ ମଜବୁତ କରିବାକୁ ଆହ୍ୱାନ ଜଣାଯାଇଥିଲା।
