ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ଙ୍କ ସହ ଓଡିଶାର ବେସରକାରୀ ସ୍କୁଲ ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ଜ୍ୱଳନ୍ତ ସମସ୍ୟା ଓ ଆଗାମୀ ଦିନରେ ଏହାର ରୂପରେଖାରେ ପରିବର୍ତ୍ତନ ଆଣିବା ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଛି।ଆଲୋଚନା ସମୟରେ ବେସରକାରୀ ସ୍କୁଲମାନଙ୍କର ଫିସ୍ ନିୟନ୍ତ୍ରଣ, ଶିକ୍ଷାର ଗୁଣବତ୍ତା, ଅଭିଭାବକଙ୍କ ଉପରେ ବୃଦ୍ଧିଶୀଳ ଆର୍ଥିକ ଭାର, ସରକାରୀ ନିୟମାବଳୀର କଡାକଡି ପ୍ରୟୋଗ ଏବଂ ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ନେଇ ବିସ୍ତୃତ ଚର୍ଚ୍ଚା ହୋଇଥିଲା।ରାଜ୍ୟସଭା ସାଂସଦ ଶ୍ରୀ ଦିଲ୍ଲୀପ ରାୟ ଓଡିଶାର ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଏହି ପ୍ରସଙ୍ଗକୁ ଆଗାମୀ ଦିନରେ ରାଜ୍ୟସଭାରେ ଉପସ୍ଥାପନ କରିବା ପାଇଁ ସକାରାତ୍ମକ ମନୋଭାବ ପ୍ରକାଶ କରିଥିବା ସୂଚନା ମିଳିଛି।ଏହି ଆଲୋଚନା ମାଧ୍ୟମରେ ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଜବାବଦେହୀ, ଛାତ୍ରମୁଖୀ ଏବଂ ସୁସଂଘଟିତ କରିବା ନେଇ ଏକ ସକାରାତ୍ମକ ପଦକ୍ଷେପ ନିଆଯାଇଥିବା ମତ ପ୍ରକାଶ ପାଇଛି।
