ଭୁବନେଶ୍ୱର:ଓଡ଼ିଶାର ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଏବଂ ଲୋକମୁଖୀ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପଦକ୍ଷେପ ନେଉଥିବା ବେଳେ ଚାଷୀ ଏବଂ ସାଧାରଣ ଜନତାଙ୍କୁ ଉନ୍ନତ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବାକୁ ସରକାର ପ୍ରାଥମିକତା ଦେଇଛନ୍ତି ବୋଲି ସମବାୟ ଓ ହସ୍ତତନ୍ତ୍ର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (OSCB) ପରିଦର୍ଶନ କରି ମନ୍ତ୍ରୀ ଶ୍ରୀ ସାମନ୍ତ ବ୍ୟାଙ୍କର ଚାଲୁଥିବା ବିଭିନ୍ନ ଯୋଜନା, ଋଣ ପ୍ରଦାନ ବ୍ୟବସ୍ଥା, ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା, କୃଷକମାନଙ୍କ ପାଇଁ ଚାଲୁଥିବା ଆର୍ଥିକ ସହାୟତା କାର୍ଯ୍ୟକ୍ରମ ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ରାଜ୍ୟ ସମବାୟର ବିଭିନ୍ନ ଆପେକ୍ସ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ଦୀର୍ଘ ସମୟ ଧରି ମନ୍ତ୍ରୀ ଆଲୋଚନା କରିଥିବା ବେଳେ ସମବାୟ କ୍ଷେତ୍ରରେ ନୂତନ ପ୍ରଯୁକ୍ତିର ବ୍ୟବହାର, ସେବାର ସ୍ୱଚ୍ଛତା ଏବଂ ଗ୍ରାମୀଣ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍ ସୁବିଧାକୁ ଆହୁରି ଶକ୍ତିଶାଳୀ କରିବା ଉପରେ ଜୋର ଦିଆଯାଇଥିଲା।ତେବେ ଏହି ସମୀକ୍ଷା ବୈଠକରେ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନଙ୍କ ସହ ସିଧାସଳଖ ଆଲୋଚନା ହୋଇଥାନ୍ତା ହେଲେ କାର୍ଯ୍ୟକ୍ଷେତ୍ରର ବାସ୍ତବ ସମସ୍ୟା ଓ ଚ୍ୟାଲେଞ୍ଜ ବିଷୟରେ ଅଧିକ ସ୍ପଷ୍ଟ ଧାରଣା ମିଳି ପାରୁଥାନ୍ତା ବୋଲି କିଛି ମହଳ ରେ ମତ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ସମବାୟ ବ୍ୟବସ୍ଥା ଗ୍ରାମୀଣ ଅର୍ଥନୀତିର ମୂଳ ଆଧାର ଭାବେ ପରିଗଣିତ ହୋଇଆସୁଛି। ବିଶେଷ କରି ପ୍ରାଥମିକ କୃଷି ସମବାୟ ସମିତି (PACS), ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବଂ OSCB ରାଜ୍ୟର କୃଷି ଋଣ ବ୍ୟବସ୍ଥାକୁ ସଚଳ ରଖିବାରେ ମୁଖ୍ୟ ଭୂମିକା ନିଭାଇଆସୁଛି। ଚାଷୀମାନଙ୍କୁ ସହଜ ସୁଦରେ ଋଣ ପ୍ରଦାନ, ଧାନ କ୍ରୟ ପ୍ରକ୍ରିୟାରେ ଆର୍ଥିକ ସହଯୋଗ ଏବଂ ଗ୍ରାମୀଣ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚାଇବାରେ OSCB ର ଭୂମିକା ଗୁରୁତ୍ୱପୂର୍ଣ୍ଣ।ଏହି ପରିପ୍ରେକ୍ଷୀରେ ମନ୍ତ୍ରୀଙ୍କ OSCB ପରିଦର୍ଶନକୁ ସମବାୟ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଥିଲା। କିନ୍ତୁ ଏହି ସମୟରେ ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକଙ୍କ ଅନୁପସ୍ଥିତି ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା।ବର୍ତ୍ତମାନ ସମବାୟ ନିବନ୍ଧକ, ଓଡ଼ିଶା ଶ୍ରୀ ମନୀଷ ଅଗ୍ରୱାଲ, IAS, OSCB ର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ଥିବା ସତ୍ତ୍ୱେ ତାଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିବାକୁ ନେଇ ସମବାୟ ମହଳରେ ଚର୍ଚ୍ଚା ଜୋର ଧରିଛି।ସମବାୟ କ୍ଷେତ୍ର ସହ ସଂପୃକ୍ତ ବହୁ ଅଧିକାରୀ ଏବଂ କର୍ମଚାରୀ ମଧ୍ୟ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ଚର୍ଚ୍ଚା ହେଉଛି। ଏକ ପକ୍ଷରେ ସରକାର ସମବାୟ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱ ଦେଉଥିବା ବେଳେ, ଅନ୍ୟପକ୍ଷରେ ଏପରି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପରିଚାଳନା ନିର୍ଦ୍ଦେଶକଙ୍କ ଅନୁପସ୍ଥିତିକୁ ନେଇ ବିଭିନ୍ନ ମହଳରେ ପ୍ରଶ୍ନ ଉଠୁଛି। କେହି କେହି ଏହାକୁ ପ୍ରଶାସନିକ ଅବହେଳା ବୋଲି କହୁଥିବା ବେଳେ, ଆଉ କେହି କହୁଛନ୍ତି ଯେ ଏହା ସମବାୟ ବ୍ୟବସ୍ଥାର ଭିତରୁ ଚାଲିଥିବା ଅସମନ୍ୱୟର ଚିତ୍ରକୁ ସ୍ପଷ୍ଟ କରୁଛି।ସମବାୟ କ୍ଷେତ୍ରରେ ଡିଜିଟାଲାଇଜେସନ୍ ଏବେ ସରକାରଙ୍କ ମୁଖ୍ୟ ଆଜେଣ୍ଡା ହୋଇଥିବା ବେଳେ PACS ଗୁଡ଼ିକୁ କମ୍ପ୍ୟୁଟରାଇଜେସନ୍, ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସୁବିଧା, କୃଷକ ତଥ୍ୟର ଡିଜିଟାଲ୍ ରେକର୍ଡ ଏବଂ ଋଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କରୁଛନ୍ତି। OSCB ଏହି ପ୍ରକ୍ରିୟାର ମୁଖ୍ୟ ସଂସ୍ଥା ହେବାରୁ ଏହାର କାର୍ଯ୍ୟପ୍ରଣାଳୀ ଏବଂ ନେତୃତ୍ୱ ଉପରେ ସମସ୍ତଙ୍କ ନଜର ରହିଥାଏ।ମନ୍ତ୍ରୀ ଶ୍ରୀ ସାମନ୍ତ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସମବାୟ ବ୍ୟବସ୍ଥା ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ଶକ୍ତିଶାଳୀ କରିବା ସହ ଚାଷୀଙ୍କ ଆୟ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ। ସମବାୟ କ୍ଷେତ୍ରକୁ ଆଧୁନିକ କରିବା, ଯୁବପିଢ଼ୀଙ୍କୁ ସମବାୟ ଆନ୍ଦୋଳନ ସହ ଯୋଡ଼ିବା ଏବଂ ଗ୍ରାମାଞ୍ଚଳରେ ଆର୍ଥିକ ସଚେତନତା ବଢ଼ାଇବା ପାଇଁ ସରକାର ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁଛନ୍ତି।ସେ ଆହୁରି କହିଥିଲେ ଯେ, ସମବାୟ କେବଳ ଏକ ଆର୍ଥିକ ବ୍ୟବସ୍ଥା ନୁହେଁ, ଏହା ଗ୍ରାମୀଣ ସମାଜର ଆର୍ଥିକ ମେରୁଦଣ୍ଡ। ଏହି ବ୍ୟବସ୍ଥାକୁ ଅଧିକ ଦାୟିତ୍ୱଶୀଳ, ଲୋକମୁଖୀ ଓ ପାରଦର୍ଶୀ କରିବା ପାଇଁ ସରକାର ସମସ୍ତ ପ୍ରୟାସ ଜାରି ରଖିବେ।ଏହି ପରିଦର୍ଶନ ପରେ ସମବାୟ ମହଳରେ OSCB ର କାର୍ଯ୍ୟପ୍ରଣାଳୀ, ପ୍ରଶାସନିକ ସମନ୍ୱୟ ଏବଂ ନେତୃତ୍ୱ ନେଇ ନୂଆ କରି ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷ କରି ପରିଚାଳନା ନିର୍ଦ୍ଦେଶକଙ୍କ ଅନୁପସ୍ଥିତି ଘଟଣା ଏବେ ସମବାୟ କ୍ଷେତ୍ରରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।
