ଭୁବନେଶ୍ୱର:ଓଡ଼ିଶା ଖାଉଟି ସମବାୟ ମହାସଂଘର ଅବସରପ୍ରାପ୍ତ କର୍ମଚାରୀ କୁମାରୀ ଗୀତାଞ୍ଜଳି ପାତ୍ର ତାଙ୍କର ବକେୟା ଗ୍ରାଚ୍ୟୁଇଟି ରାଶି ପ୍ରଦାନ ନେଇ ମହାସଂଘର ମାନନୀୟ ସଭାପତିଙ୍କ ନିକଟରେ ଗଭୀର ଅଭିଯୋଗ ଉଠାଇଛନ୍ତି। ଦୀର୍ଘ ୪ ବର୍ଷ ଧରି ଅବସର ନେଇଥିଲେ ମଧ୍ୟ ସେ ତାଙ୍କର ପ୍ରାପ୍ୟ ୧୦ ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ପାଇନଥିବା ଅଭିଯୋଗ କରିଛନ୍ତି।କୁମାରୀ ପାତ୍ର ୧୯୮୨ ମସିହାରେ ଓଡ଼ିଶା ଖାଉଟି ସମବାୟ ମହାସଂଘର ମୁଖ୍ୟ କାର୍ଯ୍ୟାଳୟରେ କିରାଣୀ କର୍ମଚାରୀ ଭାବେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ସେ ପୁରୀ ବ୍ରାଞ୍ଚ, ଭଞ୍ଜପ୍ରଭା ବ୍ରାଞ୍ଚ ସହ ଇନ୍ଦ୍ରଧନୁ ମାର୍କେଟ ବ୍ରାଞ୍ଚରେ ବ୍ରାଞ୍ଚ ମ୍ୟାନେଜର ଭାବେ ଦାୟିତ୍ୱ ନିଭାଇଥିଲେ। ୨୦୨୨ ମସିହା ଫେବୃୟାରୀରେ ସେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ। ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ନାମରେ କୌଣସି ଅଭିଯୋଗ ନଥିବା ସେ ଉଲ୍ଲେଖ କରିଛନ୍ତି।ତଥାପି ଅବସର ପରେ ତାଙ୍କର ପ୍ରାପ୍ୟ ଗ୍ରାଚ୍ୟୁଇଟି ରାଶି ଆଜିପର୍ଯ୍ୟନ୍ତ ଦିଆଯାଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ସେ ପରିଚାଳନା ନିର୍ଦ୍ଦେଶକ ଓ ସଭାପତିଙ୍କୁ ବହୁବାର ଲିଖିତ ଆକାରରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁବିଚାର ହୋଇନଥିବା ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ତାଙ୍କ ପରେ ଅବସର ନେଇଥିବା ଅନ୍ୟ କର୍ମଚାରୀମାନେ ଗ୍ରାଚ୍ୟୁଇଟି ପାଇ ସାରିଥିବା ବେଳେ ତାଙ୍କୁ ବଞ୍ଚିତ ରଖାଯାଇଛି।ବର୍ତ୍ତମାନ ସେ ମାତ୍ର ୩ ହଜାର ଟଙ୍କା ପେନ୍ସନ୍ରେ ଜୀବନ ଯାପନ କରୁଥିବା ବେଳେ ବୟସ ଜନିତ ରୋଗ ଓ ଚିକିତ୍ସା ଖର୍ଚ୍ଚ ବହନ କରୁଥିବା କଥା କହିଛନ୍ତି। ଏପରି ସ୍ଥିତିରେ ତାଙ୍କର ବକେୟା ୧୦ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ସେ ମହାସଂଘ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ।ଶେଷରେ କୁମାରୀ ପାତ୍ର ମାନବିକ ଦୃଷ୍ଟିକୋଣରୁ ତାଙ୍କ ଅଭିଯୋଗର ସୁବିଚାର କରି ଯଥାଶୀଘ୍ର ଗ୍ରାଚ୍ୟୁଇଟି ରାଶି ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି।ଖବର ନେବାରେ ଜଣାପଡିଛି ଯେ, ଓଡ଼ିଶା ଖାଉଟି ସମବାୟ ମହାସଂଘର ପରିଚାଳନା ନିର୍ଦ୍ଦେଶକ ଫାଇଲ ପ୍ରସ୍ତୁତ କରିଥିବା ସତ୍ତ୍ୱେ ସଭାପତିଙ୍କ ସ୍ତରରେ ତାହା ଅନୁମୋଦନ ହୋଇନଥିବା ନେଇ କର୍ମଚାରୀ ମହଳରେ ଚର୍ଚ୍ଚା ଜୋର ଧରିଛି। “ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି” ସଦୃଶ ପରିସ୍ଥିତି ସୃଷ୍ଟି ହୋଇଥିବା ବୋଲି ମତ ପ୍ରକାଶ ପାଉଛି।ଆଗାମୀ ଦିନରେ କର୍ମଚାରୀମାନଙ୍କ ବକେୟା ରାଶି ପ୍ରଦାନ ନାମରେ କୌଣସି ପ୍ରକାର ଅର୍ଥ କାରବାର କିମ୍ବା ଅନିୟମିତତା ହେଲେ ତାହା ବିରୋଧରେ ନିଖିଳ ଉତ୍କଳ ସମବାୟ ବିତ୍ତ ସଂଘ ପକ୍ଷରୁ ଆନ୍ଦୋଳନ ଓ ସଂଗ୍ରାମ ଆରମ୍ଭ କରାଯିବ ବୋଲି ସଂଘ ପକ୍ଷରୁ ସତର୍କ କରାଯାଇଛି।
