ଭୁବନେଶ୍ୱର: SEBI ପକ୍ଷରୁ ଭୁବନେଶ୍ୱରରେ ନୂଆ ବ୍ରାଞ୍ଚ କାର୍ଯ୍ୟାଳୟ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବ ଭାରତରେ ସେବିର ପ୍ରଥମ କାର୍ଯ୍ୟାଳୟ ହେବ। ଏନେଇ ସୋମବାର ଏକ MoU ସ୍ୱାକ୍ଷର ହୋଇଥିବାବେଳେ, ଆସନ୍ତା କିଛି ମାସ ମଧ୍ୟରେ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ସେବି ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି ।ଭୁବନେଶ୍ୱରରେ ମ୍ୟୁଚୁଆଲ ଫଣ୍ଡ ସଂଘ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ର ଓ ସଚେତନା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହି ସୂଚନା ଦେଇଛନ୍ତି।ମ୍ୟୁନିସିପାଲ୍ ବଣ୍ଡକୁ ନେଇ ମଧ୍ୟ SEBI ଅଧ୍ୟକ୍ଷ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି । ସହର ସ୍ତରୀୟ ଅଭିବୃଦ୍ଧି ପାଇଁ ପୌର ପାଣ୍ଠିର ଆବଶ୍ୟକତା ଥିବାବେଳେ, ମ୍ୟୁନିସିପାଲ୍ ବଣ୍ଡ ଏଥିରେ ଏକ ବଡ଼ ମାଧ୍ୟମ ହୋଇପାରିବ ବୋଲି ସେ କହିଛନ୍ତି । ଦେଶର ୩୪ଟି ସହରରେ ଏହି ବଣ୍ଡ ଆରମ୍ଭ ହୋଇଥିବାବେଳେ, ଆଗାମୀ ଦିନରେ ଏହାର ଚାହିଦା ବଢ଼ିବ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାରଙ୍କୁ ମଧ୍ୟ ଏହି ବଣ୍ଡ ଆରମ୍ଭ କରିବା ପାଇଁ SEBI ପକ୍ଷରୁ ପରାମର୍ଶ ଦିଆଯାଇଛି ।ଓଡ଼ିଶାରେ SIP ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବା ସେ କହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ SIP ନିବେଶ ପ୍ରାୟ ୧୦ ଗୁଣା ବୃଦ୍ଧି ପାଇଥିବାବେଳେ, ମ୍ୟୁଚୁଆଲ୍ ଫଣ୍ଡ ମାଧ୍ୟମରେ ଲୋକମାନେ ଦେଶର ଅଭିବୃଦ୍ଧିରେ ସହଭାଗୀ ହେଉଛନ୍ତି । ତଥାପି ଜାତୀୟ ସ୍ତରରେ ତୁଳନା କଲେ ଓଡ଼ିଶା ଏବେ ମଧ୍ୟ ନିବେଶ କ୍ଷେତ୍ରରେ ପଛରେ ରହିଛି ।
