ଭୁବନେଶ୍ୱର:ଓଡ଼ିଶା ଖାଉଟି ସମବାୟ ମହାସଂଘରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଗ୍ରାଚୁଏଟି ପ୍ରଦାନକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଗ୍ରାଚୁଏଟି ଫାଇଲ ପାସ କରିବା ପାଇଁ କିଛି ପ୍ରଭାବଶାଳୀ ବ୍ୟକ୍ତି କମିଶନ ନେଉଥିବା ନେଇ କର୍ମଚାରୀ ମହଳରେ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ସମବାୟ ମହଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।ସୂଚନା ଅନୁସାରେ, ମହାସଂଘର ଜଣେ ଅବସରପ୍ରାପ୍ତ ମହିଳା କର୍ମଚାରୀ ଗୀତାଞ୍ଜଳି ପାତ୍ର ଦୀର୍ଘ ଦିନ ଧରି ତାଙ୍କ ନ୍ୟାୟସଙ୍ଗତ ଗ୍ରାଚୁଏଟି ରାଶି ପାଇଁ ବିଭିନ୍ନ କାର୍ଯ୍ୟାଳୟ ଦୌଡ଼ୁଛନ୍ତି। ତଥାପି ଆଜି ପର୍ଯ୍ୟନ୍ତ ସେ ତାଙ୍କ ଅଧିକାର ପାଇ ପାରିନାହାନ୍ତି। ଏହାକୁ ନେଇ ସାଧାରଣ କର୍ମଚାରୀମାନଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି ଯେ, ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଜ ଅର୍ଜିତ ଅଧିକାର ପାଇଁ ଏତେ ହଇରାଣ ହେବାକୁ କାହିଁକି ପଡ଼ୁଛି?ମହାସଂଘର MD ମାଧ୍ୟମରେ ଜଣାପଡ଼ିଛି ଯେ ଗ୍ରାଚୁଏଟି ସମ୍ବନ୍ଧୀୟ ଫାଇଲ ସେ ପୂର୍ବରୁ ପ୍ରକ୍ରିୟାକରଣ କରି ସଭାପତିଙ୍କ ପାଖକୁ ପଠାଇ ସାରିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଯଦି ଫାଇଲ ସମସ୍ତ ପ୍ରକ୍ରିୟା ସରିଛି, ତାହେଲେ ସଭାପତିଙ୍କ ପାଖରେ ଫାଇଲ କାହିଁକି ଅଟକି ରହିଛି? କେଉଁ କାରଣରୁ ଏହାକୁ ଅନୁମୋଦନ କରାଯାଉନାହିଁ? ଏହା ପଛରେ କୌଣସି ଅର୍ଥ ଲେନଦେନ କିମ୍ବା କମିଶନ ବ୍ୟବସ୍ଥା କାମ କରୁଛି କି ନାହିଁ, ସେନେଇ ସନ୍ଦେହ ଘନୀଭୂତ ହେଉଛି।ନିଖିଳ ଓଡ଼ିଶା ସମବାୟ ବିତ ସଂଘ ଏହି ଘଟଣାକୁ ଗୁରୁତର ଭାବେ ନେଇଛି। ସଂଘର ପକ୍ଷରୁ କୁହାଯାଇଛି ଯେ, ଗ୍ରାଚୁଏଟି ଭଳି ଜଣେ କର୍ମଚାରୀଙ୍କ ଆଇନସମ୍ମତ ଅଧିକାରକୁ ଅକାରଣ ବିଳମ୍ବ କରାଯିବା ମାନବିକତା ବିରୋଧୀ ଏବଂ ପ୍ରଶାସନିକ ଦୁର୍ନୀତିର ସ୍ପଷ୍ଟ ଚିତ୍ର ପ୍ରଦର୍ଶନ କରୁଛି।ଏହି ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ସଂଘ ଆଜି ଭିଜିଲାନ୍ସ ବିଭାଗକୁ ଲିଖିତ ଅଭିଯୋଗ ପ୍ରଦାନ କରିବ। ଗ୍ରାଚୁଏଟି ଫାଇଲ ଅଟକାଇ ରଖିବା ପଛରେ କିଏ ଦାୟୀ, କାହିଁକି ଏହି ବିଳମ୍ବ ହେଉଛି ଓ କମିଶନ କାରବାର ହୋଇଛି କି ନାହିଁ, ସେ ସବୁର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି।ସଂଘ ସଚେତନ କରାଇଛି ଯେ, ଯଦି ଅତିଶୀଘ୍ର ଗୀତାଞ୍ଜଳି ପାତ୍ରଙ୍କୁ ନ୍ୟାୟ ନମିଳେ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ଆଗାମୀ ଦିନରେ ରାଜ୍ୟସ୍ତରୀୟ ଆନ୍ଦୋଳନ କରାଯିବ।
