ଭୁବନେଶ୍ୱର: ସୌମ୍ୟରଞ୍ଜନ ହତ୍ୟାର ନ୍ୟାୟ ଦାବି ନେଇ ରାସ୍ତା ରୋକ୍ କରିଛନ୍ତି ଗ୍ରାମବାସୀ। ଗାଁରେ ସୌମ୍ୟଙ୍କ ମୃତଦେହ ପହଞ୍ଚିବା ପରେ ଗ୍ରାମବାସୀ ମାନେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ କଟକ ଗ୍ରାମାଞ୍ଚଳ ପୋଲିସର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ସୌମ୍ୟଙ୍କ ହତ୍ୟାକୁ ପ୍ରତିବାଦ କରି ପରିବାର ଲୋକେ ଓ ସମ୍ପର୍କୀୟମାନେ ୬୦ ନମ୍ବର ରାଜ୍ୟ ରାଜପଥରେ ମୃତଦେହ ରଖି ଏହି ରାସ୍ତାରୋକ କରିଛନ୍ତି। ଫଳରେଫୁଲନଖରା-ନିଆଳି ମୁଖ୍ୟ ରାସ୍ତାରେ ଘଣ୍ଟାଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ସୌମ୍ୟଙ୍କୁ ଲୋକମାନେ ମିଶି ଅତି ନୃଶଂସ ଭାବେ ପିଟିପିଟି ମାରିଦେଇଥିଲେ, କିନ୍ତୁ ଘଟଣାସ୍ଥଳରେ ପୁଲିସ ଥିଲେ ମଧ୍ୟ କେହି ତାଙ୍କୁ ବଞ୍ଚାଇବାକୁ ଆଗକୁ ଆସିନଥିଲେ। ଏହାକୁ ନେଇ ପୁଲିସର ଭୂମିକା ଉପରେ ମଧ୍ୟ ଗଭୀର ପ୍ରଶ୍ନ ଉଠିଛି। ସୌମ୍ୟଙ୍କ ଭାଇ କହିଛନ୍ତି, “ଯଦି ସୌମ୍ୟ ଭୁଲ କରିଥିଲେ, ତେବେ ଆଇନ ଅନୁଯାୟୀ କାର୍ଯ୍ୟ ହେବା ଉଚିତ୍ ଥିଲା। କିନ୍ତୁ ସାଧାରଣ ଲୋକେ ତାଙ୍କୁ ଏମିତି ପିଟିପିଟି ମାରିଦେବା କେଉଁ ପ୍ରକାର ନ୍ୟାୟ?” ଅନ୍ୟପଟେ ସୌମ୍ୟଙ୍କ ବାପା ଘଟଣା ପଛରେ ଏକ ଷଡଯନ୍ତ୍ର ଥିବା ଅଭିଯୋଗ ଆଣିଛନ୍ତି। ଘଟଣାର ଗୁରୁତ୍ୱକୁ ଦେଖି ଡିଜିପି ୱାଇ.ବି. ଖୁରାନିଆ ଓ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହ ଆଲୋଚନା କରିଥିଲେ। ପୁଲିସ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଥିବା ବେଳେ CCTV ଫୁଟେଜ୍ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଉଛି।
