ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ କଲେଜର ଦୁଇଟି ପ୍ରମୁଖ ହଷ୍ଟେଲ ଅଶୋକ ଓ ଆମ୍ବେଦକର ହଷ୍ଟେଲର ଛାତ୍ରମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ଘଟଣା ରେ ପ୍ରାୟ ୨୫ରୁ ଅଧିକ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି।ଛାତ୍ରମାନେ ପରସ୍ପର ଉପରକୁ କାଚ ବୋତଲ, ଠେଙ୍ଗା ଓ ପଥର ମାଡ଼ କରିଥିବା ଜଣାପଡ଼ିଛି। ଦୀର୍ଘ ଏକ ଘଣ୍ଟା ଧରି ହଷ୍ଟେଲ ପରିସରରେ ପଥର ଫିଙ୍ଗା ଫିଙ୍ଗି ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଆକ୍ରମଣ ଓ ପାଲଟା ଆକ୍ରମଣରେ ୨୫ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଅନ୍ୟମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ସମସ୍ତ ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ କଲେଜ କ୍ୟାମ୍ପସରେ ପୋଲିସ ମୁତୟନ କରାଯାଇଛି। କଲେଜ କର୍ତ୍ତୃପକ୍ଷ ଓ ପୋଲିସ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି।
