ଭୁବନେଶ୍ୱର:ବିଜେଇମ ସ୍କୁଲ ଅଭିଭାବକ ସଂଘ ପକ୍ଷରୁ ଆଜି ମାନ୍ୟବର ବିଧାୟକ ଶ୍ରୀ ବାବୁ ସିଂହଙ୍କୁ ଏକ ଖୋଲା ଚିଠି ପ୍ରେରଣ କରାଯାଇ, ସ୍କୁଲରେ ଚାଲିଥିବା ଗୁରୁତର ଦୁର୍ନୀତି, ଅନିୟମିତତା ଓ ଅପାରଦର୍ଶିତା ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି।
ଅଭିଭାବକ ସଂଘ ଅଭିଯୋଗ କରିଛି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବହେଳା କରାଯାଉଥିବା ସହ ଭର୍ତ୍ତି ପ୍ରକ୍ରିୟାରେ ଅନିୟମିତତା, RTE ବ୍ୟବସ୍ଥାର ଦୁରୁପଯୋଗ, ବିନା ଟେଣ୍ଡର ଆହ୍ୱାନ ରେ ମନ ଇଚ୍ଛା ଖର୍ଚ୍ଚ କୁ ନେଇ ପ୍ରତିବର୍ଷ ପ୍ରାୟ 20% ଫି ବୃଦ୍ଧି ଦ୍ୱାରା ଅଭିଭାବକମାନେ ଅର୍ଥନୈତିକ ଭାବେ ଚାପରେ ପଡ଼ୁଛନ୍ତି।

ସଂଘ ଏହା ମଧ୍ୟ ଅଭିଯୋଗ କରିଛି ଯେ, ସ୍କୁଲ ପରିସରରେ ବ୍ୟବସାୟିକ କାର୍ଯ୍ୟକଳାପ ଚାଲିଛି, ପରିଚାଳନା କମିଟିରେ ପାରଦର୍ଶିତାର ଅଭାବ ରହିଛି ଓ ନିଯୁକ୍ତି ପ୍ରକ୍ରିୟାରେ ଗଭୀର ଅନିୟମିତତା ଦେଖାଯାଉଛି। କିଛି ଶିକ୍ଷୟତ୍ରୀଙ୍କ ଉପରେ ମାନସିକ ନିର୍ଯାତନା ଓ ଶିକ୍ଷାର ଗୁଣତ୍ତ୍ୱ ଅବନତି ନେଇ ମଧ୍ୟ ଗଭୀର ଚିନ୍ତା ପ୍ରକାଶ କରାଯାଇଛି।
ଏହା ସହିତ, ବିନା ଟେଣ୍ଡରରେ କୋଟି କୋଟି ଟଙ୍କା ବ୍ୟୟ, ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ପାଇଁ ବହୁ ଅର୍ଥ ଖର୍ଚ୍ଚ, ଓ ବିବାଦିତ ଅଧିକାରୀଙ୍କୁ ଉଚ୍ଚ ପଦବୀକୁ ଉନ୍ନତ କରିବା ପ୍ରୟାସ ନେଇ ମଧ୍ୟ ପ୍ରଶ୍ନ ଉଠାଯାଇଛି।
ଅଭିଭାବକ ସଂଘ ପକ୍ଷରୁ ମୁଖ୍ୟ ଦାବିଗୁଡ଼ିକ ହେଲା—
ସମସ୍ତ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ
ହାଇକୋର୍ଟ ନିର୍ଦ୍ଦେଶର କଠୋର କାର୍ଯ୍ୟାନୁଷ୍ଠାନ
ଦୋଷୀ ଅଧିକାରୀଙ୍କୁ ପଦରୁ ହଟାଇବା
ପରିଚାଳନା କମିଟିରେ ସ୍ଥାନୀୟ ପ୍ରତିନିଧିଙ୍କ ସମ୍ମିଳନ
ସ୍କୁଲରେ ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ
ଫି ବୃଦ୍ଧି ପୂର୍ବରୁ ଆର୍ଥିକ ହିସାବ ପ୍ରକାଶ
ଅଭିଭାବକ ସଂଘ ସତର୍କ କରିଛି ଯେ, ଯଦି ଶୀଘ୍ର ପଦକ୍ଷେପ ଗ୍ରହଣ ନ ହୁଏ, ତେବେ ଲୋକମାନଙ୍କର ଆସ୍ଥା ସରକାର ଓ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ଆଉ ରହିବ ନାହିଁ ।
ମାନ୍ୟବର ବିଧାୟକଙ୍କୁ ତୁରନ୍ତ ହସ୍ତକ୍ଷେପ କରି ନ୍ୟାୟ ସୁନିଶ୍ଚିତ କରିବାକୁ ଆହ୍ୱାନ କରିଛି।
—ବିଜେଇମ ସ୍କୁଲ ଅଭିଭାବକ ସଂଘ
