ସମ୍ବଲପୁର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) ପରିସରରେ ରାଗିଂ ଅଭିଯୋଗ ହୋଇଛି। ଜୋତା ଏବଂ ସାର୍ଟ ପିନ୍ଧିବାକୁ ନେଇ ଦୁଇ ଜଣ ପ୍ରଥମ ବର୍ଷର ଛାତ୍ରଙ୍କୁ ୪ ଜଣ ସିନିୟର ଛାତ୍ର ରାଗିଂ କରିଥିବା ଜଣାପଡ଼ିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଆର୍ଥିକ ଦଣ୍ଡ ବିଧାନ କରିଛନ୍ତି। ଭିସୁଟ୍ କୁଳପତି ପ୍ରଫେସର ଦୀପକ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ପ୍ରାୟ ୧୫ ଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗେଟ୍ ସମ୍ମୁଖରେ ଏହି ଘଟଣା ଘଟିଥିଲା। ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏହା କୌଣସି ପୂର୍ବ ଯୋଜନାବଦ୍ଧ ବା ସଂଗଠିତ ରାଗିଂ ନଥିଲେ ମଧ୍ୟ, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ନେଇଛନ୍ତି। ଘଟଣାଟି କର୍ତ୍ତୃପକ୍ଷଙ୍କ ନଜରକୁ ଆସିବା ପରେ ଆଣ୍ଟି-ରାଗିଂ କମିଟି ଦ୍ୱାରା ଏହାର ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣ ସିନିୟର ଛାତ୍ରଙ୍କୁ ଆର୍ଥିକ ଦଣ୍ଡ ଦେବାକୁ ନିଷ୍ପତ୍ତି ହୋଇଛି। ଶିକ୍ଷାନୁଷ୍ଠାନରେ ଅନୁଶାସନ ବଜାୟ ରଖିବା ଏବଂ ରାଗିଂ ଭଳି କୁପ୍ରଥାକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁଳପତି ପ୍ରକାଶ କରିଛନ୍ତି।
