ଭୁବନେଶ୍ୱର:ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ଦଳର ତିନି ବିଧାୟକଙ୍କୁ ନିଲମ୍ବନ କରିଛି କଂଗ୍ରେସ। ନିଲମ୍ବିତ ହୋଇଥିବା ବିଧାୟକମାନେ ହେଉଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗୋ ଓ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଆଜି କଂଗ୍ରେସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ୩ ବିଧାୟକଙ୍କୁ ନିଲମ୍ବନ କରାଯାଇଛି। ଦଳୀୟ ହୁଇପ୍ ଉଲ୍ଲଘଂନ କରି ସେମାନେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ। ଏପରି କରି ସେମାନେ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
