ଭୁବନେଶ୍ୱର :ବେସରକାରୀ ବିଦ୍ୟାଳୟ ଖୋଲିବା ଏବଂ ପରବର୍ତ୍ତୀ ଅବସ୍ଥାରେ ସିଓଆର୍ ପାଇବା ନିମନ୍ତେ ସରକାର ଙ୍କ ନିୟମାବଳୀ କୁ ଉଲ୍ଲଂଘନ କରି ବେଆଇନ୍ ଭାବରେ ବହୁ ବିଦ୍ୟାଳୟ ଚାଲୁଥିବାର ଅଭିଯୋଗ ପୁର୍ବରୁ ବାରମ୍ବାର ହୋଇ ଆସୁଛି।ନ୍ୟାସନାଲ ପ୍ୟାରେଣ୍ଟ୍ ଫେଡେରେସନ୍ ତରଫରୁ ଏହା ସମ୍ବନ୍ଧରେ ବିଭାଗୀୟ ସଚିବ ଏବଂ ନିର୍ଦ୍ଦେଶକ ଙ୍କୁ ମଧ୍ୟ ପୁର୍ବରୁ ଅଭିଯୋଗ କରାଯାଇଛି । କିନ୍ତୁ ଚଳିତ ବର୍ଷ ଅନିୟମିତତା ଏବଂ ଦୁର୍ନୀତି ସମସ୍ତ ସୀମା ଲଘଂନ କରିଥିବାର ତଥ୍ୟ ପାଇବାପରେ ନ୍ୟାସନାଲ ପ୍ୟାରେଣ୍ଟ୍ ଫେଡେରେସନ୍ ତରଫରୁ ରାଜ୍ୟ ମାନବାଧିକାର କମିଶନ ଙ୍କ ନିକଟରେ ମାମଲା ରୁଜ୍ଜୁ କରା ଯାଇଥିଲା,ଯାହାର ପ୍ରାଥମିକ ଶୁଣାଣି କରି ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଆୟୋଗ ଅଧ୍ୟକ୍ଷ ଗଣଶିକ୍ଷା ବିଭାଗ ର ସଚିବଙ୍କୁ ନୋଟିସ ଜାରି କରିଛନ୍ତି ବୋଲି ଫେଡେରେସନ୍ ସଭାପତି ଶ୍ରୀ ଭୁମୋହନ ବେବର୍ତ୍ତା ପଟ୍ଟନାୟକ ଏକ ପ୍ରେମ୍ ବିବୃତିରେ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ନୂତନ ବିଦ୍ୟାଳୟ ଖୋଲିବାକୁ ଏବଂ ପରବର୍ତ୍ତୀ ଅବସ୍ଥାରେ ସିଓଆର୍ ପ୍ରାପ୍ତ ପାଇଁ ଆବେଦନ ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ କରାଯାଏ। ସମସ୍ତ ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଅନଲାଇନ ରେ ପ୍ରଦାନ କରାଯାଏ ।ଆବେଦନକାରୀ ଙ୍କ ତଥ୍ୟ ଓ ଆବଶ୍ୟକୀୟ ଭିତିଭୂମି ଅନୁଯାୟୀ ଜିଲ୍ଲା ଶିକ୍ଷାଧିକାରୀ କ୍ଷେତ୍ର ପରୀକ୍ଷଣ କରିବାପରେ ଆବେଦନକୁ ସ୍ଵୀକୃତି ଦେଇଥାନ୍ତି,କିମ୍ବା ନାକଚ କରିଥାନ୍ତି। ସୁଚନା ଅଧିକାର ଆଇନ୍ ଅନୁଯାୟୀ ମିଳିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ନୂତନ ବିଦ୍ୟାଳୟ ଖୋଲିବା ନିମନ୍ତେ ୬୯ ଜଣ ଆବେଦନ କରିଥିଲେ ଏବଂ ବିଦ୍ୟାଳୟ ଚଲାଇବା (ସିଓଆର୍) ନିମନ୍ତେ ୧୬୩ ଜଣ ଆବେଦନ କରିଥିଲେ।

ତନ୍ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଅଧିକାରୀ ସମସ୍ତ ଆବଶ୍ୟକୀୟ କାଗଜପତ୍ର ତନଖି କରିବା ପରେ ୬୯ ଆବେଦନ ମଧ୍ୟରୁ ୧୨ ଟି ଆବେଦନ କୁ ନୂତନ ବିଦ୍ୟାଳୟ ଖୋଲିବା ନିମନ୍ତେ ସୁପାରିଶ କରିଥିଲେ ଏବଂ ୧୬୩ ଆବେଦନ ମଧ୍ୟରୁ ୫୨ ଟି ବିଦ୍ୟାଳୟ କୁ ସିଓଆର୍ ପାଇବା ନିମନ୍ତେ ସୁପାରିଶ କରିଥିଲେ। କିନ୍ତୁ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲା ଶିକ୍ଷାଧିକାରୀ ନାକଚ କରିଥିବା ଆବେଦନ କୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କର ବିନା ପରାମର୍ଶରେ ୨୬ ଟି ନୂତନ ବିଦ୍ୟାଳୟ କୁଖୋଲିବା ନିମନ୍ତେ ଏବଂ ୧୦୨ ଟି ବିଦ୍ୟାଳୟ କୁ ସିଓଆର୍ ଦିଆଯାଇଛି ।ଅଗ୍ନି ନିରାପତ୍ତା ପ୍ରମାଣପତ୍ର, ବିଦ୍ୟାଳୟ ଜମି ପ୍ରମାଣ ପତ୍ର ଏବଂ ସୁରକ୍ଷା, ନିରାପତ୍ତା ପ୍ରମାଣପତ୍ର ଅଭାବରୁ ନାକଚ କରାଯାଇଥିବା ଆବେଦନ ଗୁଡ଼ିକୁ ପରବର୍ତ୍ତୀ ଅବସ୍ଥାରେ ସ୍ଵୀକୃତି ଦିଆଯାଇ ଥିବା ଜଣାପଡିଛି।ଏହି ନିଷ୍ପତ୍ତି କିଏ ନେଇଛି ଏବଂ କାହା ଅନୁମତିରେ ଦିଆଯାଇଛି ତାହା ସ୍ପଷ୍ଟ ଜଣାପଡିନଥିଲେ ମଧ୍ୟ, ଶିକ୍ଷା ଅଧିକାର ଆଇନ୍ ଏବଂ ଓଡ଼ିଶା ଶିକ୍ଷା ଆଇନ୍ ଅନୁଯାୟୀ ଥିବା ନିୟମାବଳୀ କୁ ସଂପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।ଏହା ସହଖୋଦ୍ ଖୋର୍ଦ୍ଧା ଜିଲ୍ଲାରେ ଯଦି ଏହି ଅବସ୍ଥା ତାହେଲେ ରାଜ୍ୟର ବାକି ଜିଲ୍ଲାରେ ଅବସ୍ଥା କଣ ଥିବ ବୋଲି ଏଥିରୁ ଅନୁମାନ କରାଯାଇପାରେ। କ୍ରାଇମବ୍ରାଞ୍ଚ ତଦନ୍ତ କଲେ ସମସ୍ତ କେଳେଙ୍କାରୀ ସାମ୍ନା କୁ ଆସିବ ଏବଂ ସଂପୃକ୍ତ ଅଧିକାରୀ ଧରାପଡିବେ ବୋଲି ଦର୍ଶାଇଛନ୍ତି।ଆଜିର ସାମ୍ବାଦିକ ସମ୍ମିଳନୀରେ ଫେଡେରେସନ ସାଧାରଣ ସମ୍ପାଦକ ଶ୍ରୀ ରମେଶ ଭାରତୀ,ନିର୍ମଳ ରାଉତ,ସଞ୍ଜୟ ମହାନ୍ତି ଉପଦେଷ୍ଟା ଶ୍ରୀ ନାଗାର୍ଜୁନ ସେଠୀ,ପ୍ରଦୀପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
