ଭୁବନେଶ୍ୱର :ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟକୁ ବୋମାରେ ଉଡାଇଦେବାକୁ ଇ-ମେଲ୍ ଯୋଗେ ମିଳିଥିଲା ଧମକ । ଏହାକୁ ନେଇ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।କୋର୍ଟକୁ ବୋମାରେ ଉଡ଼ାଇଦେବା ଖବର ମିଳିବା ପରେ ବଡ଼ଗଡ଼ ଥାନା ପୋଲିସ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା । ଏହାସହ ଡଗ୍ ସ୍କ୍ୱାଡ୍ କୋର୍ଟ ପରିସରରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଯାଞ୍ଚ କରିଥିଲା । ଖବର ପ୍ରଚାରିତ ହେବା ପରେ କୋର୍ଟ ଭିତରେ ଭୟର ବାତାବରଣ ଖେଳିଯାଇଥିଲା । ଯାଞ୍ଚ ପରେ ଏହା ଗୁଜବ ବୋଲି ଜଣାପଡିଥିଲା । ତେବେ କିଏ ଓ କାହିଁକି ଏଭଳି ଇ-ମେଲ୍ ପଠାଇ ଆତଙ୍କ ସୃଷ୍ଟି କଲେ ତାକୁ ନେଇ ପୋଲିସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି ।ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ମାସ ହେବ ରାଜ୍ୟର ବିଭିନ୍ନ କୋର୍ଟକୁ ଏଭଳି ଇ-ମେଲ୍ ଆସିବାରେ ଲାଗିଛି।
