ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆଗାମୀ ଦିନରେ ଲଢେଇକୁ ଆହୁରି ଜୋରଦାର କରାଯିବ ବୋଲି ରାଷ୍ଟ୍ରୀୟ ଅଭିଭାବକ ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ରଞ୍ଜନ କୁମାର ଦାସ ଏକ ପ୍ରେସ୍ ବିବୃତିରେ କହିଛନ୍ତି।ସେ କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ଅଭିଭାବକଙ୍କ ଦୀର୍ଘଦିନର ଦାବିଗୁଡ଼ିକ ପ୍ରତି ସରକାର ଗମ୍ଭୀରତାର ସହ ବିଚାର କରିବା ଆବଶ୍ୟକ। ଏଥିପାଇଁ ମହାସଂଘ ପକ୍ଷରୁ ନିମ୍ନଲିଖିତ ଦାବି ଉପସ୍ଥାପନ କରାଯାଇଛି—1. ଭୁଲ ବହି ତୁରନ୍ତ ପ୍ରତ୍ୟାହାର ପାଇଁ ନିର୍ଦ୍ଧିଷ୍ଟ ସମୟସୀମା ଘୋଷଣା କରାଯାଉ।2. ଶିକ୍ଷା ଅଧିକାରର ପରିସରକୁ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ।3. KGରୁ PG ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ମାଗଣା କରାଯିବା ସହ ବେସରକାରୀ ବିଦ୍ୟାଳୟର ଫି ନିର୍ଦ୍ଧାରଣ ପାଇଁ ସରକାରଙ୍କ ଦ୍ୱାରା ଏକ ଫି ନିର୍ଦ୍ଧାରଣ କମିଟି ଗଠନ କରାଯାଉ।4. ପ୍ରତ୍ୟେକ ବେସରକାରୀ ବିଦ୍ୟାଳୟର ପରିଚାଳନା ଓ ଫି ସମ୍ପର୍କିତ ନିରୀକ୍ଷଣ ବ୍ୟବସ୍ଥାରେ ଜିଲ୍ଲାପାଳଙ୍କୁ ଅଧ୍ୟକ୍ଷ ଭାବେ ରଖାଯାଉ।ଶ୍ରୀ ଦାସ କହିଛନ୍ତି, KGରୁ PG ପର୍ଯ୍ୟନ୍ତ ଶିକ୍ଷାର ସୁବିଧା ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସମାନ ଭାବେ ମିଳିବା ଆବଶ୍ୟକ। ଶିକ୍ଷା କେବଳ କିଛି ବର୍ଗର ସୁବିଧା ନହୋଇ ସମସ୍ତଙ୍କ ଅଧିକାର ହେବା ଦରକାର। ଶିକ୍ଷାର ବ୍ୟାପକ ସୁଯୋଗ ସୃଷ୍ଟି ହେଲେ ଯୁବପିଢ଼ି ପାଇଁ ନୂଆ ରୋଜଗାର ଓ ସ୍ୱାବଲମ୍ବନର ସୁଯୋଗ ମଧ୍ୟ ସୃଷ୍ଟି ହେବ।ଯଦି KGରୁ PG ପର୍ଯ୍ୟନ୍ତ ଶିକ୍ଷା ଦେଶର ଭବିଷ୍ୟତ ଗଢ଼େ, ତେବେ ଏହି ଶିକ୍ଷାକୁ ନୀତିଗତ ଭାବେ କାହିଁକି ବାଦ ଦିଆଯିବ? ଅଭିଭାବକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ନପଡ଼ିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ,ବୋଲି ସେ କହିଛନ୍ତି।ଏହି ସମସ୍ତ ଦାବି ପୂରଣ ପାଇଁ ରାଷ୍ଟ୍ରୀୟ ଅଭିଭାବକ ମହାସଂଘ ପକ୍ଷରୁ ଗଣତାନ୍ତ୍ରିକ ଉପାୟରେ ଆଗାମୀ ଦିନରେ ଲଢେଇକୁ ଆହୁରି ଜୋରଦାର କରାଯିବ ବୋଲି ଶ୍ରୀ ରଞ୍ଜନ କୁମାର ଦାସ ସ୍ପଷ୍ଟ କରିଛନ୍ତି।
