ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ସମାପ୍ତି ପରେ ବାଙ୍କୀର ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ତ୍ରିପାଠୀ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି।ସେ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ତାଙ୍କ ପୁଅ କୌଣସି କ୍ରସ୍ ଭୋଟିଂ କରିନାହାନ୍ତି, ବରଂ ନୀତି ଓ ଆଦର୍ଶକୁ ମନେ ରଖି ନିଜ ମତ ସାବ୍ୟସ୍ତ କରିଛନ୍ତି। ଦଳ ଯେପରି ତାଙ୍କୁ ଅସମ୍ମାନ କରିଛି, ସେହି ପରିସ୍ଥିତିରେ ପୁଅକୁ ଜୋର କରି ଦଳରେ ରଖିବାର ଉତ୍ତର ଆଜିର ରାଜ୍ୟସଭା ନିର୍ବାଚନ ରେ ସେ ଦେଇଦେଇଛି ବୋଲି ସେ କହିଛନ୍ତି।ସେ ବିଜୁ ଜନତା ଦଳକୁ ସ୍ମରଣ କରାଇ କହିଛନ୍ତି ଯେ କଟକ ଜିଲ୍ଲାରେ ଯେଉ ମାନେ ନିଜକୁ ବିଜେଡିର ମୁଖ୍ୟ ନେତା ବୋଲି କହୁଛନ୍ତି, ସେମାନେ ଗତ ଲୋକସଭା ନିର୍ବାଚନକୁ ମନେ ପକାନ୍ତୁ। ସେତେବେଳେ ଅନେକେ ସଂପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେଇଥିଲେ, କିନ୍ତୁ ମୋର ନିର୍ବାଚନ ମଣ୍ଡଳୀରେ ଦଳର ମର୍ଯ୍ୟାଦା ରକ୍ଷା ହୋଇଥିଲା। ସେତେବେଳେ “ଅନ୍ୟ ଘୋଡ଼ା କେତେ ଦାମରେ ବିକ୍ରି ହେଲା ?” ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।ସେ କହିଛନ୍ତି ଯେ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଆଜି ପର୍ଯ୍ୟନ୍ତ ବିଜେଡି ସହ କଂଗ୍ରେସ ଲଢ଼ୁଛି। ମୋତେ ଭଲପାଉଥିବା ଭୋଟରମାନେ କଂଗ୍ରେସ ବିରୋଧରେ ଭୋଟ ଦେଇଆସୁଛନ୍ତି। ତେଣୁ ବାଙ୍କୀ ରେ ମୋର ପୁଅକୁ ଜିତାଇବା ପାଇଁ ଯେଉଁ ଭୋଟରମାନେ କଂଗ୍ରେସ ବିରୋଧରେ ଭୋଟ ଦେଇଛନ୍ତି, ସେହି ପୁଅ ରାଜ୍ୟସଭାରେ କଂଗ୍ରେସ ମେଣ୍ଟକୁ ଭୋଟ ଦେବ କି ? ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।ସାମ୍ବାଦିକମାନଙ୍କ ପ୍ରଶ୍ନରେ ସେ କହିଛନ୍ତି ଯେ ଯଦି ବିଜେଡି ତାଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଉଛି, ତାହାରେ କୌଣସି ଅସୁବିଧା ନାହିଁ।ସେ ବ୍ୟଙ୍ଗାତ୍ମକ ଭାବେ କହିଛନ୍ତି, “ମେଣ୍ଢା ଧୋଉ ଧୋଉ ବିଜେଡି ନିର୍ବାଳ ହୋଇଯିବ।”ଶ୍ରୀ ତ୍ରିପାଠୀ କହିଛନ୍ତି ଯେ 2026 ଓଡ଼ିଶାର ରାଜନୀତି ପାଇଁ ଏକ ନିର୍ଣ୍ଣାୟକ ବର୍ଷ ହେବ ଏବଂ ଆଗାମୀ ଦିନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ବିଜେଡି ମଧ୍ୟରେ ସମ୍ପୂର୍ଣ୍ଣ ସଂସ୍କାର ଆସିବ ବୋଲି ସେ ଦାବି କରିଛନ୍ତି।
