ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟିଙ୍କ ସହ ଯୋଗଦେଇ ରାଜ୍ୟର ବୁଣାକାର ଭାଇଭଉଣୀମାନଙ୍କ ଗୌରବମୟ ସାଧନାକୁ ସମ୍ମାନିତ କରିବାର ସୁଯୋଗ ମିଳିଥିଲା।
ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟର ସୁରକ୍ଷା, ବୁଣାକାରମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି ସହିତ ହସ୍ତତନ୍ତ କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିର ସମାବେଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ।
ଏହି ଅବସରରେ ସୁକିନ୍ଦାରେ ଟସର ସିଲ୍କ ପାର୍କ, ଅଭିମାନପୁରରେ AI ପାର୍କ, ଜଗତସିଂହପୁରରେ କସ୍ତା ଭବନ, ରାଉତପଡ଼ାରେ ଫ୍ୟାବ୍ରିକ୍ କ୍ୟାଲେଣ୍ଡରିଂ ୟୁନିଟ୍ ଏବଂ ଅହମ୍ମଦାବାଦ ଓ ରଘୁରାଜପୁରରେ ‘ରେଶମ୍ ଓଡ଼ିଶା’ ଶୋ’ରୁମ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।ଓଡ଼ିଶାର ହସ୍ତତନ୍ତ ଓ କାରିଗରୀକୁ ଜାତୀୟ ତଥା ବିଶ୍ୱ ବଜାର ସହ ଯୋଡ଼ିବା ଏବଂ ସ୍ଥାୟୀ ଫ୍ୟାଶନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆମାଜନ କାରିଗର, ଗ୍ରାସିମ୍ ଇଣ୍ଡିଆ ଓ ଜୁବି ଡିଜାଇନର୍ ଷ୍ଟୁଡିଓ ସହିତ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।ସମାରୋହରେ ଜୀବନବ୍ୟାପୀ ସାଧନା ପୁରସ୍କାରପ୍ରାପ୍ତ ଡକ୍ଟର ସୁରେନ୍ଦ୍ର ମେହେରଙ୍କ ସମେତ ଶ୍ରେଷ୍ଠ ବୁଣାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ବିଭାଗୀୟ ବାର୍ଷିକ ରିପୋର୍ଟ ୨୦୨୫–୨୬ ଏବଂ ‘କୁସୁମ’, ‘କରୁଣା ରେଶମ’ ଓ IoT ପ୍ରଯୁକ୍ତିବିଦ୍ୟା ଆଧାରିତ ସ୍ୱତନ୍ତ୍ର ଭିଡିଓ ମଧ୍ୟ ଉନ୍ମୋଚିତ ହୋଇଥିଲା।ହସ୍ତତନ୍ତ କେବଳ ଏକ ବସ୍ତ୍ର ନୁହେଁ; ଏହା ଓଡ଼ିଶାର ସମୃଦ୍ଧ ପରମ୍ପରା, ସଂସ୍କୃତି, କଳାକୌଶଳ ଓ ସ୍ୱାଭିମାନର ପ୍ରତୀକ। ଆମ ବୁଣାକାର ସମାଜର ପରିଶ୍ରମ ଓ ସୃଜନଶୀଳତାକୁ ସମ୍ମାନ ଦେବା ସହିତ ହସ୍ତତନ୍ତ ଉତ୍ପାଦକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ଆମ ସମସ୍ତଙ୍କ ଦାୟିତ୍ୱ।
“ସମସ୍ତଙ୍କ ଜୀବନରେ ହସ୍ତତନ୍ତର ଏକ ସ୍ପର୍ଶ” ବାର୍ତ୍ତାକୁ ପାଥେୟ କରି ଆମ ଦୈନନ୍ଦିନ ଜୀବନରେ ହସ୍ତତନ୍ତ ବସ୍ତ୍ରର ବ୍ୟବହାର ବଢ଼ାଇବା ଏବଂ ଓଡ଼ିଶାର ବୁଣାକାର ଭାଇଭଉଣୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଉଛି।
