ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରତିରକ୍ଷା ଭାଗିଦାରୀକୁ ଏକ ନୂତନ ସ୍ତରକୁ ନେବା ପାଇଁ “ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ୨୦୨୬” ଉପରେ ମିଳିତ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ମିଳିତ ଚୁକ୍ତିନାମାରେ ସମୁଦାୟ ୨୦ଟି ପ୍ରସଙ୍ଗ ଉପରେ ସହମତି ପ୍ରକାଶ ପାଇଛି। ଯେଉଁଥିରେ ପରସ୍ପରର ସାମରିକ ବିମାନ ମୁତୟନ ବୃଦ୍ଧି କରିବା ଏବଂ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସାମୁଦ୍ରିକ ସୁରକ୍ଷା ବଜାୟ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଭାରତ ଏବଂ ଅଷ୍ଟ୍ରେଲିଆ ଏଣିକି ପରସ୍ପରର ସାମରିକ ଅଞ୍ଚଳରେ ନିଜ ନିଜର ସୈନ୍ୟ ବିମାନ ମୁତୟନ ବୃଦ୍ଧି କରିବେ। ଦୁଇ ଦେଶର ରଣନୀତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ସ୍ତରରେ ନିୟମିତ ଆଲୋଚନା ଏବଂ ବୈଠକ ଅନୁଷ୍ଠିତ ହେବ। ଆତଙ୍କବାଦୀ ପାଣ୍ଠି, ସାଇବର ସୁରକ୍ଷା, ମାନବ ଚାଲାଣ ଏବଂ ସାମୁଦ୍ରିକ ଅପରାଧ ରୋକିବା ପାଇଁ ଉଭୟ ଦେଶ ଗୁପ୍ତଚର ସୂଚନା ସହଭାଗୀ କରିବେ। ମୁକ୍ତ ଏବଂ ସୁରକ୍ଷିତ ଭାରତ- ପ୍ରଶାନ୍ତ କ୍ଷେତ୍ର ପାଇଁ ଆମେରିକା (US) ଏବଂ ଜାପାନ ସହିତ ତ୍ରିପାକ୍ଷିକ ଓ ବହୁପାକ୍ଷିକ ସହଯୋଗ ବୃଦ୍ଧି କରିବାକୁ ଚୁକ୍ତି ହୋଇଛି। ଏହା ବ୍ୟତୀତ ବିପର୍ଯ୍ୟୟ ପରିଚାଳନା, ମାନବୀୟ ସହାୟତା ଏବଂ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ସପ୍ଲାଇ ଚେନ୍କୁ ସୁଦୃଢ଼ କରିବା ପାଇଁ ମଧ୍ୟ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି।
