ବାଙ୍କୀ:ଡମପଡ଼ା ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ବିକାଶମୂଳକ କାର୍ଯ୍ୟ ଓ ଭିତ୍ତିଭୂମି ଉନ୍ନତି ପାଇଁ ଆସିଥିବା ଅନୁଦାନ ପାଣ୍ଠିର ବ୍ୟବହାରକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। କଲେଜର ଉନ୍ନତି ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାର ଅନୁଦାନ ଠିକ୍ ଭାବରେ ବ୍ୟୟ ହୋଇନଥିବା ଏବଂ ବିଭିନ୍ନ କାର୍ଯ୍ୟରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ମହଳରେ ଚର୍ଚ୍ଚା ଜୋର ଧରିଛି।ସ୍ଥାନୀୟ ଲୋକ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଅଭିଯୋଗକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, କଲେଜର ଭିତ୍ତିଭୂମି ଉନ୍ନତି, ଗ୍ରେଡିଂ ସମ୍ବନ୍ଧୀୟ କାର୍ଯ୍ୟ ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଆସିଥିବା ଅର୍ଥର ସଠିକ୍ ହିସାବ ଜନସାଧାରଣଙ୍କ ସମ୍ମୁଖରେ ରଖାଯାଇନାହିଁ। ଫଳରେ ସ୍ୱଚ୍ଛତା କୁ ନେଇ ପ୍ରଶ୍ନ ଉଠିଛି।ଏହି ପ୍ରସଙ୍ଗରେ ଜନସାଧାରଣଙ୍କ ମନରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବେ ଉଙ୍କି ମାରୁଛି-ଉଠିଥିବା ଅଭିଯୋଗ ଗୁଡ଼ିକର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କେବେ ହେବ ?ଯଦି ଅନିୟମିତତା ପ୍ରମାଣିତ ହୁଏ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ?ଶିକ୍ଷାନୁଷ୍ଠାନରେ ସ୍ୱଚ୍ଛତା କୁ ସୁନିଶ୍ଚିତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ କି ପଦକ୍ଷେପ ନେବ?ଅଞ୍ଚଳର ବିଭିନ୍ନ ସାମାଜିକ ଓ ଛାତ୍ର ସଂଗଠନ ଏହି ଘଟଣାର ତଦନ୍ତ ଦାବି ଯୋର ଧରିଛି । ସେମାନଙ୍କ ମତରେ, ଶିକ୍ଷାନୁଷ୍ଠାନର ପବିତ୍ରତା ଓ ବିଶ୍ୱସନୀୟତା ରକ୍ଷା ପାଇଁ ଅଭିଯୋଗଗୁଡ଼ିକର ନିରପେକ୍ଷ ଯାଞ୍ଚ ଅତ୍ୟନ୍ତ ଆବଶ୍ୟକ।ଜନସାଧାରଣ ଦାବି କରିଛନ୍ତି ଯେ, ସରକାର ଓ ଉଚ୍ଚଶିକ୍ଷା ବିଭାଗ ଏହି ବିଷୟକୁ ଗୁରୁତ୍ୱର ସହ ନେଇ ଶୀଘ୍ର ତଦନ୍ତ ଆରମ୍ଭ କରନ୍ତୁ ଏବଂ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରନ୍ତୁ, ଯାହା ଦ୍ୱାରା ସତ୍ୟ ପଦାକୁ ଆସିପାରିବ ଏବଂ ଶିକ୍ଷାନୁଷ୍ଠାନ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଅତୁଟ ରହିବ ବୋଲି ଜନସାଧାରଣ ରେ ଚର୍ଚା ଜୋର୍ ଧରିଛି ।
