ଭୁବନେଶ୍ବର: ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଗାଁ ଛକ ନିକଟରେ ଜଣେ ଯୁବକଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରାଯାଇଛି। ବିଳମ୍ବିତ ରାତିରେ ଘଟିଥିବା ଏହି କାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଓ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଯୁବକ ଜଣକ ହେଲେ ଖୁଦୁପୁର ଗାଁର ମାର୍କଣ୍ଡ ବଲିଆରସିଂ ଓରଫ ଜଗା। ସେ ଡେଲାଙ୍ଗ ହରିରାଜପୁର ସ୍ଥିତ ବିଦ୍ୟୁତ ସବ୍-ଷ୍ଟେସନରେ ଆସିଷ୍ଟାଣ୍ଟ୍ ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରୁଥିଲେ। ଖବର ପାଇ ଆଜି ସକାଳୁ ଜଟଣୀ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ସହ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଏହି ମାମଲାରେ କମିଶନରେଟ୍ ପୋଲିସ ତତ୍ପରତା ପ୍ରକାଶ କରି ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ସେମାନଙ୍କୁ ଜେରା ଚଳାଇଛି।
