ନୂଆଦିଲ୍ଲୀ:ହୋର୍ମୁଜ ଷ୍ଟ୍ରେଟ୍ରେ ଫସି ରହିଥିବା ଭାରତର ଦୁଇଟି ଏଲ୍ପିଜି ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ବାହାରିବାକୁ ଅନୁମତି ଦେଇଛି ଇରାନ। ଏହି ଘଟଣାର କିଛି ଘଣ୍ଟା ପୂର୍ବରୁ ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫତହାଲି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଆଗାମୀ ୨-୩ ଘଣ୍ଟା ମଧ୍ୟରେ ଭାରତ ପାଇଁ ଭଲ ଖବର ଆସିବ।ରାଷ୍ଟ୍ରଦୂତ ଫତହାଲି କହିଛନ୍ତି ଯେ, ଭାରତ ଓ ଇରାନ ହେଉଛନ୍ତି ପୁରାତନ ବନ୍ଧୁ । କଷ୍ଟ ସମୟରେ ଏବଂ ଯୁଦ୍ଧ ପରବର୍ତ୍ତୀ ପରିସ୍ଥିତିରେ ଭାରତ ସରକାର ଇରାନକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିଛନ୍ତି। ତେଣୁ ସୁରକ୍ଷିତ ଜଳପଥ ଯୋଗାଇଦେବା ଆମର କର୍ତ୍ତବ୍ୟ।ବର୍ତ୍ତମାନ ଭାରତର ବିଭିନ୍ନ ଅଞ୍ଚଳରେ ଏଲପିଜି ସିଲିଣ୍ଡର ପାଇଁ ଲୋକଙ୍କ ମଧ୍ୟରେ ହାହାକାର ଦେଖିବାକୁ ମିଳିଛି। ଗ୍ୟାସ ଏଜେନ୍ସିଗୁଡ଼ିକ ସମ୍ମୁଖରେ ଶତାଧିକ ଲୋକ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ବେଳେ ଇରାନର ଏହି ପଦକ୍ଷେପ ଦ୍ୱାରା ଦେଶକୁ ଗ୍ୟାସ ଯୋଗାଣ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।
