ନୂଆଦିଲ୍ଲୀ:ଏଲପିଜି ସିଲିଣ୍ଡର ବୁକିଂ ପାଇଁ ନୂତନ ନିୟମ ଲାଗୁ ହୋଇଥିବା ନେଇ ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ଖବରକୁ ବୁଧବାର ସରକାର ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିବା ସହ ବିଭିନ୍ନ ବର୍ଗର ହିତାଧିକାରୀଙ୍କ ପାଇଁ ଅଲଗା ଅଲଗା ସମୟ ସୀମା ଧାର୍ଯ୍ୟ କରାଯାଇଥିବା ଦାବିକୁ ଅସତ୍ୟ ବୋଲି ଦର୍ଶାଇଛନ୍ତି । ସରକାର ସ୍ପଷ୍ଟ କରିଛନ୍ତି ଯେ ପୂର୍ବରୁ ପ୍ରଚଳିତ ଥିବା ନିୟମ ହିଁ ବଳବତ୍ତର ରହିଛି, ଯେଉଁଥିରେ ଗ୍ରାମାଞ୍ଚଳ ପାଇଁ ୪୫ ଦିନ ଓ ସହରାଞ୍ଚଳ ପାଇଁ ୨୫ ଦିନର ବୁକିଂ ଅବଧି ଜାରି ରହିଛି। ଦେଶରେ ଗ୍ୟାସର କୌଣସି ଅଭାବ ନଥିବାରୁ ଜନସାଧାରଣଙ୍କୁ ଆତଙ୍କିତ ନହେବାକୁ ଏବଂ ମିଥ୍ୟା ସୂଚନା ଉପରେ ବିଶ୍ୱାସ ନକରିବାକୁ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।ଜଣେ ଗ୍ରାହକ ଶେଷ ଥର ସିଲିଣ୍ଡର ଗ୍ରହଣ କରିଥିବା ତାରିଖରୁ ହିଁ ପରବର୍ତ୍ତୀ ବୁକିଂ ପାଇଁ ଦିନ ଗଣନା କରାଯିବ। ଯଦି କେହି ନିର୍ଦ୍ଧାରିତ ସମୟ ପୂର୍ବରୁ ବୁକ୍ କରିବାକୁ ଚେଷ୍ଟା କରନ୍ତି, ତେବେ ସିଷ୍ଟମ ସ୍ୱୟଂଚାଳିତ ଭାବେ ସେହି ବୁକିଂକୁ ଖାରଜ କରିଦେବ। ଏହି ବ୍ୟବସ୍ଥା ସହରାଞ୍ଚଳରେ ୨୫ ଦିନ ଏବଂ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳ ପାଇଁ ୪୫ ଦିନ ଭାବେ ଲାଗୁ ହେବ ।
