ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ମଧ୍ୟରେ ଉପୁଜିଥିବା ଉତ୍ତେଜନା ସତ୍ତ୍ୱେ ଦେଶରେ ଏଲପିଜି (LPG) ଯୋଗାଣରେ କୌଣସି ସମସ୍ୟା ହେବ ନାହିଁ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ ପ୍ରେସ୍ ବ୍ରିଫିଂରେ ମୁଖପାତ୍ର ରଣଧୀର ଜୟସ୍ଵାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଇରାନର ହର୍ମୁଜ୍ ପ୍ରଣାଳୀ ଦେଇ ଆହୁରି ଚାରୋଟି ଏଲପିଜି ଜାହାଜ ଭାରତ ଅଭିମୁଖେ ଆସୁଛି, ଯାହା ଆଗାମୀ କିଛି ଦିନ ମଧ୍ୟରେ ପହଞ୍ଚିବ। ମଧ୍ୟପ୍ରାଚ୍ୟରେ ଚାଲିଥିବା ସ୍ଥିତି ଉପରେ ଭାରତ ନଜର ରଖିଛି। ଶକ୍ତି ଆବଶ୍ୟକତା ପୂରଣ ପାଇଁ ଉପସାଗରୀୟ ଦେଶ ଏବଂ ଅନ୍ୟାନ୍ୟ ସହଯୋଗୀ ରାଷ୍ଟ୍ରଙ୍କ ସହ ସରକାର ନିରନ୍ତର ଆଲୋଚନା କରୁଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ମାଲବାହୀ ଜାହାଜଗୁଡ଼ିକର ସୁରକ୍ଷିତ ପରିବହନ ଭାରତ ପାଇଁ ସବୁଠାରୁ ବଡ଼ ପ୍ରାଥମିକତା। ଏଥିପାଇଁ ଆବଶ୍ୟକୀୟ ସମନ୍ୱୟ ରକ୍ଷା କରାଯାଉଛି। ଭାରତ କେଉଁ ଦେଶରୁ କେତେ ପରିମାଣର ତୈଳ ଆମଦାନୀ କରୁଛି, ସେ ସମ୍ପର୍କିତ ବୈଷୟିକ ତଥ୍ୟ ସମ୍ପୃକ୍ତ ମନ୍ତ୍ରଣାଳୟ (ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍) ପକ୍ଷରୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
