ନୂଆଦିଲ୍ଲୀ: ନାସାର ଆର୍ଟେମିସ-II ମିଶନ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛି । ଏହି ମିଶନରେ ଯାଇଥିବା 4 ଜଣ ମହାକାଶଚାରୀ ଚନ୍ଦ୍ର ପରିକ୍ରମା କରି ସଫଳତାର ସହ ପୃଥିବୀକୁ ଫେରିଛନ୍ତି । ଆମେରିକୀୟ ସମୟ ଅନୁଯାୟୀ, 10 ଏପ୍ରିଲ 2026 ରାତି 8:07 (EDT) ଏବଂ ଭାରତୀୟ ସମୟ 11 ଏପ୍ରିଲ ସକାଳ 5:37 ମିନିଟ୍ରେ ଏହି ମହାକାଶଯାନଟି କାଲିଫର୍ଣ୍ଣିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ସ୍ପ୍ଲାସଡାଉନ୍ କରିଛି । ଚନ୍ଦ୍ର ଯାତ୍ରାରେ ଯାଇଥିବା 4 ଜଣ ମହାକାଶଚାରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ବର୍ତ୍ତମାନ ସେମାନଙ୍କୁ ସ୍ପେସକ୍ରାଫ୍ଟ ମଧ୍ୟରୁ ବାହାର କରିବାର ପ୍ରକ୍ରିୟା ଜାରି ରହିଛି । ଏହାପରେ ସମସ୍ତ ମହାକାଶଚାରୀଙ୍କୁ ବିଧିବଦ୍ଧ ଭାବେ ଡାକ୍ତରୀ ପରୀକ୍ଷା ପାଇଁ ପଠାଯିବ ।ଏହି ମିଶନ ପ୍ରାୟ 10 ଦିନ ଧରି ଚାଲିଥିଲା, ଯେଉଁଥିରେ କମାଣ୍ଡର ରିଡ୍ ୱାଇଜମ୍ୟାନ୍, ପାଇଲଟ୍ ଭିକ୍ଟର ଗ୍ଲୋଭର ଏବଂ ମିଶନ ସ୍ପେଶାଲିଷ୍ଟ କ୍ରିଷ୍ଟିନା କୋଚ୍ ଓ ଜେରେମି ହାନସେନ୍ ସାମିଲ ଥିଲେ । ଏପ୍ରିଲ 6 ତାରିଖରେ ଏହି ଯାନ ପୃଥିବୀଠାରୁ ପ୍ରାୟ 2,52,756 ମାଇଲ୍ ଦୂରତା ଅତିକ୍ରମ କରିଥିଲା, ଯାହା ମାନବ ଇତିହାସରେ ସବୁଠାରୁ ଦୂରତମ ମହାକାଶ ଯାତ୍ରା । ଏହା ପୂର୍ବରୁ ଆପୋଲୋ-13 ମିଶନ ନାମରେ ଏହି ରେକର୍ଡ ରହିଥିଲା ।ଭାରତୀୟ ସମୟ ଅନୁଯାୟୀ ଆଜି ସକାଳେ ଓରିଅନ୍ କ୍ୟାପସୁଲ୍ ସାନ୍ ଡିଏଗୋ ଉପକୂଳ ନିକଟରେ ଓହ୍ଲାଇଥିଲା । ବାୟୁମଣ୍ଡଳରେ ପ୍ରବେଶ ସମୟରେ ଯାନଟିର ବାହ୍ୟ ତାପମାତ୍ରା ପ୍ରାୟ 5000 ଡିଗ୍ରୀ ଫାରେନ୍ହାଇଟ୍ରେ ପହଞ୍ଚିଥିଲେ ମଧ୍ୟ ଏହାର ‘ହିଟ୍ ସିଲ୍ଡ’ ମହାକାଶଚାରୀଙ୍କୁ ସୁରକ୍ଷିତ ରଖିଥିଲା । ପାରାଚୁଟ୍ ସାହାଯ୍ୟରେ ଯାନଟି ସମୁଦ୍ରରେ ସ୍ଥିର ଭାବେ ଅବତରଣ କରିବା ପରେ ନାଭି ଏବଂ ନାସା ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
