ଭୁବନେଶ୍ୱର/ନୂଆଦିଲ୍ଲୀ: ନ୍ୟାସନାଲ କୋଅପରେଟିଭ ୟୁନିଅନ ଅଫ ଇଣ୍ଡିଆ (NCUI) ପରିଚାଳନା ପରିଷଦ ନିର୍ବାଚନକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପରେ ସମବାୟ ନିର୍ବାଚନ ପ୍ରାଧିକରଣ (CEA)ଙ୍କ ନିର୍ଦ୍ଦେଶ ଆଧାରରେ ରିଟର୍ଣ୍ଣିଂ ଅଫିସର ୧୦ ଜଣ ନୂତନ ପ୍ରତିନିଧିଙ୍କୁ ସାମିଲ କରି ସପ୍ଲିମେଣ୍ଟାରି ଭୋଟର ତାଲିକା ପ୍ରକାଶ କରିଛନ୍ତି।ଏହି ତାଲିକାରେ ବିଶାଳ ସିଂହ, ଦୀପକ କୁମାର ଚୌରାସିଆ, ଧନଞ୍ଜୟ କୁମାର ସିଂହ, ସୁବ୍ରତ କୁମାର ନନ୍ଦଙ୍କ ସମେତ ମୋଟ ୧୦ ଜଣଙ୍କୁ ବିଭିନ୍ନ ସଦସ୍ୟ ସଂସ୍ଥାର ଅଧିକୃତ ପ୍ରତିନିଧି ଭାବେ ନିର୍ବାଚକ ମଣ୍ଡଳୀରେ ସାମିଲ କରାଯାଇଛି।ଏହି ପଦକ୍ଷେପ ପରେ NCUIର ୭୫ ବର୍ଷର ଇତିହାସରେ ଏଭଳି ପରିସ୍ଥିତି ପ୍ରଥମ ଥର ଦେଖିବାକୁ ମିଳିଛି ବୋଲି ସମବାୟ ମହଳରେ ଆଲୋଚନା ହେଉଛି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପରେ ପୁଣି ନୂତନ ପ୍ରତିନିଧିଙ୍କ ସାମିଲକୁ ନେଇ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ସମାନତା ଉପରେ ପ୍ରଶ୍ନ ଉଠିଛି।ଏହି ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସିଛି। ଓଡ଼ିଶା ରାଜ୍ୟ ସମବାୟ ୟୁନିଅନର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଦ୍ୱାରା ପତ୍ର ସଂଖ୍ୟା–୧୧୦୩, ତାରିଖ ୧୯.୦୬.୨୦୨୬ ମାଧ୍ୟମରେ Zone-05 ସମ୍ପର୍କିତ ଦାଖଲ କରାଯାଇଥିବା ଅଭିଯୋଗକୁ କାହିଁକି ବିଚାର କରାଗଲା ନାହିଁ? ଯେତେବେଳେ ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ମଧ୍ୟ ନୂତନ ବୋର୍ଡ ପ୍ରସ୍ତାବ ଗ୍ରହଣ କରାଯାଇପାରୁଛି, ସେତେବେଳେ ପୂର୍ବରୁ ଦାଖଲ ହୋଇଥିବା ଏହି ଅଭିଯୋଗକୁ ଅଣଦେଖା କରାଯିବାର କାରଣ କଣ?ସେହିପରି Registration No. MSCS/CR/1285/2018 ଥିବା ସୋସାଇଟିର ଆଇନଗତ ସ୍ଥିତି ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ସୋସାଇଟି ମଲ୍ଟି-ଷ୍ଟେଟ କୋଅପରେଟିଭ ସୋସାଇଟିଜ୍ ଆକ୍ଟ, ୨୦୦୨ ଅନୁଯାୟୀ କେଉଁ ଶ୍ରେଣୀରେ ପଞ୍ଜୀକୃତ ଏବଂ ଏହାର ପ୍ରତିନିଧିତ୍ୱ କେଉଁ ଆଇନଗତ ଆଧାରରେ ସ୍ୱୀକୃତି ପାଇଛି, ସେନେଇ ସ୍ପଷ୍ଟୀକରଣ ଦେବାକୁ ଦାବି କରାଯାଇଛି lZone-05 ସମ୍ପର୍କିତ ଅଭିଯୋଗରେ କେଉଁ ଆଧାରରେ ପ୍ରତିନିଧିଙ୍କୁ ଯୋଡ଼ାଯାଇଛି କିମ୍ବା ବାଦ ଦିଆଯାଇଛି, ସେନେଇ ନିର୍ବାଚନ ଅଧିକାରୀ ସାର୍ବଜନୀନ ଭାବେ କାରଣ ଦର୍ଶାଇବା ଉଚିତ ବୋଲି ଦାବି କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ସମାନ ମାନଦଣ୍ଡ ପ୍ରୟୋଗ ହେବା ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳ ଆଧାର ବୋଲି କୁହାଯାଇଛି।ଯଦି ନିର୍ବାଚନ ପ୍ରକ୍ରିୟାରେ ଉଠିଥିବା ଆଇନଗତ ପ୍ରଶ୍ନଗୁଡ଼ିକର ସମାଧାନ ନହୁଏ, ତେବେ ପ୍ରଭାବିତ ସଦସ୍ୟମାନେ ଉଚ୍ଚତର ନ୍ୟାୟାଳୟର ଦ୍ୱାରସ୍ଥ ହେବାର ସମ୍ଭାବନା ରହିଛି ବୋଲି ମଧ୍ୟ ସମବାୟ ମହଳରେ ଆଲୋଚନା ହେଉଛି।ଏଣୁ ଦାବି କରାଯାଇଛି ଯେ, NCUI ପରିଚାଳନା ପରିଷଦ ନିର୍ବାଚନକୁ ମଲ୍ଟି-ଷ୍ଟେଟ କୋଅପରେଟିଭ ସୋସାଇଟିଜ୍ ଆକ୍ଟ, ୨୦୦୨ ଓ ସମ୍ପୃକ୍ତ ନିୟମାବଳୀ ଅନୁଯାୟୀ ସ୍ୱଚ୍ଛ, ନିରପେକ୍ଷ ଏବଂ ଆଇନସମ୍ମତ ଭାବେ ପରିଚାଳନା କରାଯାଉ। ସେହିସହିତ ରଞ୍ଜନ କୁମାର ଦାସ, ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ସମବାୟ ୟୁନିଅନଙ୍କ ପତ୍ର ସଂଖ୍ୟା–୧୧୦୩, ତାରିଖ ୧୯.୦୬.୨୦୨୬ ରେ ଉଠାଯାଇଥିବା Zone-05 ଅଭିଯୋଗର ନିଷ୍ପକ୍ଷ ବିଚାର କରାଯାଇ ଉପଯୁକ୍ତ ନିଷ୍ପତ୍ତି ପ୍ରକାଶ କରାଯାଉ।
