ଭୁବନେଶ୍ୱର:NCUI ଗଭର୍ଣ୍ଣିଂ କାଉନସିଲ ନିର୍ବାଚନ ସମ୍ବନ୍ଧୀୟ ରିଟର୍ଣ୍ଣିଂ ଅଫିସରଙ୍କ ଆଦେଶରେ ଉଲ୍ଲେଖ ହୋଇଛି ଯେ ଶ୍ରୀ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ପୂର୍ବରୁ ଦାଖଲ କରାଯାଇଥିବା ଆପତ୍ତି ପ୍ରତ୍ୟାହାର (Withdrawal) କରାଯାଇଛି।ଶ୍ରୀ ରଞ୍ଜନ କୁମାର ଦାସ ସ୍ପଷ୍ଟ କରିଛନ୍ତି ଯେ ସେ କେବେ ମଧ୍ୟ କୌଣସି ଆପତ୍ତି ପ୍ରତ୍ୟାହାର ପତ୍ର, ଆବେଦନ କିମ୍ବା କୌଣସି ମେଲ ଦାଖଲ କରିନାହାନ୍ତି। ଯଦି ତାଙ୍କ ନାମରେ କୌଣସି ପ୍ରତ୍ୟାହାର ପତ୍ର ଦାଖଲ ହୋଇଥାଏ, ତେବେ ତାହା ଜାଲିଆତି, ପରିଚୟର ଦୁରୁପଯୋଗ ଓ ଗୁରୁତର ଅପରାଧର ସାମିଲ ବୋଲି ସେ ଅଭିଯୋଗ କରିଛନ୍ତି।ଏହି ଘଟଣାକୁ ନେଇ ଆଜି ଶ୍ରୀ ରଞ୍ଜନ କୁମାର ଦାସ ଭୁବନେଶ୍ୱରର ବଡ଼ଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରି ଘଟଣାର ନିରପେକ୍ଷ ତଦନ୍ତ,ସହିତ ପ୍ରତ୍ୟାହାର ପତ୍ରର ସତ୍ୟତା ଯାଞ୍ଚ ଏବଂ ଦୋଷୀ ବ୍ୟକ୍ତି କିମ୍ବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି।ସେ ଆହୁରି ଦାବି କରିଛନ୍ତି ଯେ ଯଦି ସାଇବର ଜାଲିଆତି, ଜାଲ ଦସ୍ତାବେଜ ପ୍ରସ୍ତୁତି କିମ୍ବା ପରିଚୟର ଦୁରୁପଯୋଗ ଘଟିଥାଏ, ତେବେ ପୋଲିସ ଓ ସାଇବର ଅପରାଧ ଶାଖା ତୁରନ୍ତ ତଦନ୍ତ କରି ଦୋଷୀଙ୍କୁ ଆଇନ ଅନୁଯାୟୀ ଗିରଫ କରିବା ଉଚିତ।ଏହି ଘଟଣା NCUI ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ନିରପେକ୍ଷତାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ଶ୍ରୀ ରଞ୍ଜନ କୁମାର ଦାସ ଏହାର ନିରପେକ୍ଷ ଓ ଶୀଘ୍ର ତଦନ୍ତ କରି ସତ୍ୟ ଉନ୍ମୋଚନ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।
