ଭୁବନେଶ୍ୱର:ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିଚାଳନାକୁ ଶୃଙ୍ଖଳିତ କରିବା ଓ ଭୋଟରଙ୍କ ସୁବିଧା ନିମନ୍ତେ କମିଶନ ବିଭିନ୍ନ ପଦବୀ ପାଇଁ ବ୍ୟବହାର ହେବାକୁ ଥିବା ବାଲାଟ୍ ପେପରର ରଙ୍ଗ ଚୂଡ଼ାନ୍ତ ସହ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଭାରତୀୟ ସମ୍ବିଧାନର ଧାରା ୨୪୩(କେ) ସମେତ ଓଡ଼ିଶା ପଂଚାୟତ ନିର୍ବାଚନ ରୁଲସ-୧୯୬୫, ଓଡ଼ିଶା ପଂଚାୟତ ସମିତି ନିର୍ବାଚନ ରୁଲସ-୧୯୯୧ ଓ ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ରୁଲସ-୧୯୯୪ର ପ୍ରାବଧାନ ଆଧାରରେ ରାଜ୍ୟ ନିର୍ବାଚନ କମିଶନ ଗତ ସୋମବାର ଏହି ବିଜ୍ଞପ୍ତି ଜାରି କରିଛନ୍ତି।କମିଶନଙ୍କ ସଚିବ ସନ୍ତୋଷ କୁମାର ଦାଶଙ୍କ ଦ୍ୱାରା ଜାରି ଏହି ବିଜ୍ଞପ୍ତି ଅନୁସାରେ, ୱାର୍ଡମେମ୍ବର ପ୍ରାର୍ଥୀଙ୍କ ପାଇଁ ଗୋଲାପୀ ରଙ୍ଗର ବାଲଟ୍ ପେପର ବ୍ୟବହାର କରାଯିବ। ସେହିପରି ସରପଂଚ ପଦବୀ ପାଇଁ ନୀଳ ରଙ୍ଗ, ପଂଚାୟତ ସମିତି ସଭ୍ୟଙ୍କ ପାଇଁ ହଳଦିଆ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଧଳା ରଙ୍ଗର ବାଲାଟ ପେପର ନିର୍ଦ୍ଧାରଣ କରାଯାଇଛି।ଭୋଟରମାନେ ଗୋଟିଏ ବୁଥରେ ଏକସଙ୍ଗେ ୪ଟି ଭିନ୍ନ ଭିନ୍ନ ପଦବୀ ପାଇଁ ମତଦାନ କରିବାକୁ ଥିବାରୁ ଏହି ରଙ୍ଗଗୁଡ଼ିକ ପ୍ରାର୍ଥୀ ଓ ପଦବୀ ଚିହ୍ନିବାରେ ସହାୟକ ହେବ ଏବଂ ଭୋଟ ଗଣତି ପ୍ରକ୍ରିୟାକୁ ତ୍ରୁଟିମୁକ୍ତ ଓ ଗତିଶୀଳ କରିବ ବୋଲି ଜଣାପଡ଼ିଛି।ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ପଂଚାୟତ ନିର୍ବାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅକ୍ଟୋବର ମାସରୁ ଭୋଟର ତାଲିକା ସଂଶୋଧନ ଓ ଯାଂଚ କାର୍ଯ୍ୟ ଆରମ୍ଭ ହେବ। ଏହାପରେ ବୁଥସ୍ତରୀୟ ତାଲିକା ପ୍ରସ୍ତୁତ କରାଯାଇ ନିର୍ବାଚନ ନିମନ୍ତେ ଆବଶ୍ୟକ ବାଲାଟ ପେପର ଛପା, ପରିବହନ ବ୍ୟବସ୍ଥା ଓ କର୍ମଚାରୀ ନିୟୋଜନ ଭଳି ପ୍ରାଥମିକ ପ୍ରସ୍ତୁତି ସମ୍ପନ୍ନ ହେବ।
