ଭୁବନେଶ୍ୱର:ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଫି ନିର୍ଧାରଣ କମିଟିର ସୁପାରିଶ ତୁରନ୍ତ ଲାଗୁ କରିବା ଦାବିରେ ନ୍ୟାସନାଲ ପ୍ୟାରେଣ୍ଟ ଫେଡେରେସନ୍ ପକ୍ଷରୁ ମାନବାଧିକାର ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ମାମଲାର ପ୍ରାଥମିକ ଶୁଣାଣି ପରେ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।ଫେଡେରେସନ୍ ସଭାପତି ଶ୍ରୀ ଭୁମୋହନ ବେବର୍ତ୍ତା ପଟ୍ଟନାୟକଙ୍କ ପକ୍ଷରୁ ଦାଖଲ ମାମଲାର ପ୍ରତ୍ୟୁତ୍ତରରେ ଗଣଶିକ୍ଷା ବିଭାଗର ସଚିବ ମାନବାଧିକାର ଆୟୋଗର ଅଧ୍ୟକ୍ଷଙ୍କୁ ଦେଇଥିବା ସ୍ପଷ୍ଟୀକରଣରୁ ଜଣାପଡ଼ୁଛି ଯେ, ପୂର୍ବ ସରକାରଙ୍କ ସମୟରେ ଗଠିତ ଫି ନିର୍ଧାରଣ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ନେଇ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିଲା।ଏହି ଘଟଣାକୁ ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବର୍ଷ ବର୍ଷ ଧରି ରାଜ୍ୟର ଲକ୍ଷାଧିକ ଅଭିଭାବକଙ୍କୁ ଫି ନିର୍ଧାରଣ ପ୍ରସଙ୍ଗରେ ଆଶ୍ୱାସନ ଦେଇ ଆସିବା ସତ୍ତ୍ୱେ ଏହାକୁ ଲାଗୁ ନକରିବା ଅଭିଭାବକମାନଙ୍କ ସହ ପ୍ରତାରଣା ସଦୃଶ। ଏହି ପ୍ରସଙ୍ଗରେ ଫେଡେରେସନ୍ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବ ବୋଲି ସେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ବେସରକାରୀ ବିଦ୍ୟାଳୟର ଫି ନିର୍ଧାରଣ ସମ୍ପର୍କରେ ଓଡ଼ିଶା ଶିକ୍ଷା ଆଇନ, ୧୯୬୯ ଏବଂ ସରକାରଙ୍କ ସମ୍ପର୍କିତ ନିର୍ଦ୍ଦେଶନାମାରେ ପ୍ରାବଧାନ ରହିଛି। ତେବେ ଏହାର ପ୍ରକୃତ ଓ ପ୍ରଭାବଶାଳୀ କାର୍ଯ୍ୟକାରିତା ନେଇ ଦୀର୍ଘଦିନ ଧରି ଅଭିଭାବକ ମହଲରେ ଅସନ୍ତୋଷ ରହିଆସିଛି।ଫି ବୃଦ୍ଧି ଓ ଫି ନିର୍ଧାରଣକୁ ନେଇ ବିଭିନ୍ନ ସମୟରେ ଅଭିଭାବକମାନେ ଆନ୍ଦୋଳନ, ଧାରଣା, ଧର୍ମଘଟ ଏବଂ ଆମରଣ ଅନଶନ ଭଳି ପଦକ୍ଷେପ ନେଇଛନ୍ତି। ଫି ସମସ୍ୟାକୁ କେନ୍ଦ୍ର କରି ଛାତ୍ରଛାତ୍ରୀଙ୍କ ଉପରେ ଚାପ ଓ ମାନସିକ ନିର୍ଯାତନା ନେଇ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ଆସିଛି।ଏହି ପରିସ୍ଥିତିରେ ତତ୍କାଳୀନ ସରକାରଙ୍କ ନିର୍ଦ୍ଦେଶ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶାନୁସାରେ ୨୦୧୮ ମସିହାରେ ଫି ନିର୍ଧାରଣ କମିଟି ଗଠନ କରାଯାଇଥିଲା। ଏହି କମିଟିର ଅଧ୍ୟକ୍ଷ ଥିଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳର ବେସରକାରୀ ବିଦ୍ୟାଳୟର ଅଧ୍ୟକ୍ଷ, ପୃଷ୍ଠପୋଷକ, ଅଭିଭାବକ ସଂଘର ପ୍ରତିନିଧି, ଅଭିଭାବକ, ଆଇନ ବିଭାଗ ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ସଦସ୍ୟ ଥିଲେ।ବିଭିନ୍ନ ପର୍ଯ୍ୟାୟରେ ଅନେକ ବୈଠକ ଓ ବ୍ୟାପକ ଆଲୋଚନା ପରେ ସମସ୍ତ ପକ୍ଷଙ୍କ ମତାମତକୁ ବିଚାରକୁ ନେଇ ଏକ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏହି ରିପୋର୍ଟ FILE NO. SME-SPLEDN-009-2018 ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା।ଏହାକୁ କାର୍ଯ୍ୟକାରୀ କରିବା ନେଇ ପ୍ରକ୍ରିୟା ଚାଲିଥିବା ସମୟରେ କୋଭିଡ୍-୧୯ ମହାମାରୀ ଯୋଗୁଁ ପ୍ରାୟ ଦୁଇ ବର୍ଷ ଧରି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ମହାମାରୀ ପରେ ତତ୍କାଳୀନ ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା ଏବଂ ଫି ନିର୍ଧାରଣ ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ତୁରନ୍ତ ବ୍ୟବସ୍ଥା ନେବାକୁ ଆଶ୍ୱାସନ ଦିଆଯାଇଥିଲା।
ଏହା ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠିଥିବା ବେଳେ ମାନ୍ୟବର ଶିକ୍ଷାମନ୍ତ୍ରୀ ମଧ୍ୟ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଉତ୍ତର ଦେଇଥିଲେ।ପରବର୍ତ୍ତୀ ସମୟରେ ୨୦୨୪ ମସିହାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ, OSEPA ନିର୍ଦ୍ଦେଶକ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ହୋଇଥିବା ବୈଠକରେ ମଧ୍ୟ ଏହାକୁ କିଛି ସଂଶୋଧନ ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା।ତେବେ ସାଧାରଣ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହେବାରୁ ଏହି ପ୍ରକ୍ରିୟା ସ୍ଥଗିତ ରହିଥିଲା। ନିର୍ବାଚନ ପରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାନଯିବାରୁ ବାଧ୍ୟ ହୋଇ ଲକ୍ଷାଧିକ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଫି ନିର୍ଧାରଣ କମିଟିର ସୁପାରିଶକୁ ତୁରନ୍ତ ଲାଗୁ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା ଦାବିରେ ନ୍ୟାସନାଲ ପ୍ୟାରେଣ୍ଟ ଫେଡେରେସନ୍ ପକ୍ଷରୁ ମାନବାଧିକାର ଆୟୋଗଙ୍କ ନିକଟରେ ମାମଲା ଦାଖଲ କରାଯାଇଥିଲା।ଶ୍ରୀ ଭୁମୋହନ ବେବର୍ତ୍ତା ପଟ୍ଟନାୟକ କହିଛନ୍ତି ଯେ, ଅଭିଭାବକମାନଙ୍କ ଦୀର୍ଘଦିନର ଦାବିକୁ ଆଉ ଅଣଦେଖା କରାଯାଇପାରିବ ନାହିଁ। ଫି ନିର୍ଧାରଣ କମିଟିର ସୁପାରିଶକୁ ଆଇନସମ୍ମତ ଭାବେ ତୁରନ୍ତ ଲାଗୁ କରାଯିବା ଆବଶ୍ୟକ। ଏହି ପ୍ରସଙ୍ଗରେ ଆବଶ୍ୟକ ହେଲେ ଫେଡେରେସନ୍ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନେବ।ଆଜିର ପ୍ରତିନିଧିମଣ୍ଡଳୀରେ ଫେଡେରେସନ୍ର ଉପଦେଷ୍ଟା ଶ୍ରୀ ନାଗାର୍ଜୁନ ସେଠୀ, ଶ୍ରୀ ରମେଶ ଭାରତୀ, ଶ୍ରୀ ନିର୍ମଳ ରାଉତ ଏବଂ ଶ୍ରୀ ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
