ଭୁବନେଶ୍ୱର :ରାଜ୍ୟର ଚାଷୀମାନଙ୍କୁ ସମବାୟ ସମିତି (PACS/LAMPCS) ମାଧ୍ୟମରେ ବିଭିନ୍ନ ପ୍ରକାର ବୀମା ସୁବିଧା ଯୋଗାଇଦେବା ସହ ଉନ୍ନତମାନର କୃଷି ଔଷଧ, କୀଟନାଶକ ଓ ଅନ୍ୟାନ୍ୟ କୃଷି ଉପକରଣର ସହଜ ଉପଲବ୍ଧତା ନିଶ୍ଚିତ କରିବାକୁ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଏକ ସମଗ୍ର ରଣନୀତି ପ୍ରସ୍ତୁତ କରାଯାଉଛି। ଏହି ଉଦ୍ଦେଶ୍ୟରେ କମିଶନର ତଥା ଶାସନ ସଚିବ ଶ୍ରୀ Rajesh Prabhakar Patilଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ Registrar of Cooperative Societies Odishaଙ୍କ ସହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ IFFCO-Tokio General Insurance ଏବଂ IFFCO-MC Crop Scienceର ପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ବୈଠକରେ ସମବାୟ ସମିତିମାନଙ୍କୁ କିପରି ଅଧିକ ସକ୍ରିୟ, ଆତ୍ମନିର୍ଭର ଓ ଚାଷୀମୁଖୀ କରାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।ବିଶେଷକରି ଫସଲ ବୀମା, ଜୀବନ ବୀମା, ଦୁର୍ଘଟଣା ବୀମା ଓ କୃଷି ସମ୍ବନ୍ଧୀୟ ବିଭିନ୍ନ ସୁରକ୍ଷା ଯୋଜନାକୁ PACS/LAMPCS ସ୍ତରରେ ସହଜ ଭାବେ ଚାଷୀମାନଙ୍କ ପାଖକୁ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହାସହ ନକଲି ଓ ନିମ୍ନମାନର କୃଷି ଔଷଧ ଓ କୀଟନାଶକ ଉପରେ ନିୟନ୍ତ୍ରଣ ଆଣି ଚାଷୀମାନଙ୍କୁ ଗୁଣବତ୍ତାସମ୍ପନ୍ନ ଉତ୍ପାଦ ସଠିକ ଦରରେ ଯୋଗାଇବାକୁ ମଧ୍ୟ ଆଲୋଚନା କରାଯାଇଥିଲା। ସମବାୟ ସମିତିମାନଙ୍କୁ କୃଷି ସେବାର ଏକ ବିଶ୍ୱସନୀୟ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ନେଇ ବିଭାଗ କାର୍ଯ୍ୟ କରୁଛି।ବୈଠକରେ ସମବାୟ ସମିତିଗୁଡ଼ିକର ବ୍ୟବସାୟିକ ବିବିଧକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। କେବଳ ଋଣ ପ୍ରଦାନରେ ସୀମିତ ନ ରହି ସମିତିମାନେ କୃଷି ବୀମା, କୃଷି ଉପକରଣ ବିକ୍ରୟ, ପରାମର୍ଶ ସେବା ଓ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସେବା ପ୍ରଦାନ କରିବା ଦିଗରେ ଆଗେଇବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ଦ୍ୱାରା ସମବାୟ ସମିତିମାନଙ୍କ ଆର୍ଥିକ ସ୍ଥିତି ମଜବୁତ ହେବା ସହ ଚାଷୀମାନେ ମଧ୍ୟ ଏକେ ସ୍ଥାନରେ ସମସ୍ତ ପ୍ରକାର ସେବା ପାଇପାରିବେ।“ସମବାୟ ମଧ୍ୟରେ ସହଭାଗିତା” ନୀତିକୁ ଆଧାର କରି ଗ୍ରହଣ କରାଯାଉଥିବା ଏହି ପଦକ୍ଷେପ ଆଗାମୀ ଦିନରେ PACS/LAMPCS ଗୁଡ଼ିକୁ ଚାଷୀମାନଙ୍କ ପାଇଁ ଏକ ସଂପୂର୍ଣ୍ଣ “ୱାନ ଷ୍ଟେପ୍ ସେଣ୍ଟର” ଭାବେ ପରିଣତ କରିବ ବୋଲି ଆଶା ପ୍ରକାଶ ପାଇଛି। ରାଜ୍ୟର କୃଷି ଓ ସମବାୟ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ପଦକ୍ଷେପ ଭାବେ ସାବ୍ୟସ୍ତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
