ଭୁବନେଶ୍ଵର:ରାଜ୍ୟର ଚାଷୀମାନଙ୍କୁ ତାଙ୍କର ଉତ୍ପାଦିତ ତୈଳବୀଜ ଓ ଡାଲିଜାତୀୟ ଶସ୍ୟର ନ୍ୟାୟସଙ୍ଗତ ମୂଲ୍ୟ ପ୍ରଦାନ ସହିତ ସରକାରୀ ସହାୟତାର ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ ୨୦୨୫-୨୬ ରବି ଋତୁ ପାଇଁ ଶସ୍ୟ ସଂଗ୍ରହ ପ୍ରକ୍ରିୟାକୁ ସମବାୟ ବିଭାଗ ଆରମ୍ଭ କରିଛି। ଏହି ସଂଗ୍ରହ କାର୍ଯ୍ୟକ୍ରମ ମାର୍କଫେଡ୍ ଓ କୃଷି ସମବାୟ ସମିତି (PACS/LAMPCS) ମାଧ୍ୟମରେ ରାଜ୍ୟବ୍ୟାପୀ ଭାବେ ସୁଚାରୁ ଭାବେ ପରିଚାଳିତ ହେଉଛି।ଚାଷୀମାନଙ୍କ ସୁବିଧା ଓ ପାରଦର୍ଶିତାକୁ ଗୁରୁତ୍ୱ ଦେଇ ସରକାର ଏହି ସଂଗ୍ରହ ପ୍ରକ୍ରିୟାକୁ ସହଜ, ଦ୍ରୁତ ଓ ବ୍ୟବସ୍ଥିତ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଯାବତ୍ ମୋଟ ୨,୬୭୦ ଜଣ ଚାଷୀ ଏହି ଅଭିଯାନରେ ପଞ୍ଜୀକରଣ କରି ସରକାରୀ ଶସ୍ୟ ସଂଗ୍ରହ ବ୍ୟବସ୍ଥା ସହ ଯୋଡ଼ିତ ହୋଇଛନ୍ତି। ଏହା ଚାଷୀମାନଙ୍କ ମଧ୍ୟରେ ସରକାରୀ କ୍ରୟ ବ୍ୟବସ୍ଥା ପ୍ରତି ବୃଦ୍ଧି ପାଉଥିବା ବିଶ୍ୱାସର ପ୍ରତିଫଳନ ବୋଲି କୁହାଯାଉଛି।ସମଗ୍ର ରାଜ୍ୟରୁ ଏହି ରବି ଋତୁରେ ମୋଟ ୧,୮୧,୨୭୨ ମେଟ୍ରିକ୍ ଟନ୍ ତୈଳବୀଜ ଓ ଡାଲିଜାତୀୟ ଶସ୍ୟ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୦୩ ମେଟ୍ରିକ୍ ଟନ୍ ଶସ୍ୟ ସଂଗ୍ରହ ସଫଳତାର ସହିତ ସମ୍ପନ୍ନ ହୋଇଛି। ଆଗାମୀ ଦିନରେ ଚାଷୀମାନଙ୍କ ଭାଗିଦାରି ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।ଶସ୍ୟ ସଂଗ୍ରହ କାର୍ଯ୍ୟକୁ ସୁଚାରୁ ଓ ଚାଷୀ-ବନ୍ଧବ କରିବା ପାଇଁ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୨୫୯ଟି ମଣ୍ଡି ମଧ୍ୟରୁ ୬୦ଟି ମଣ୍ଡିରେ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଅବଶିଷ୍ଟ ୧୯୯ଟି ମଣ୍ଡିକୁ ପର୍ଯ୍ୟାୟକ୍ରମେ ଖୁବ୍ ଶୀଘ୍ର ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଉଛି। ମଣ୍ଡିଗୁଡ଼ିକରେ ଚାଷୀମାନଙ୍କ ପାଇଁ ପାନୀୟଜଳ, ଓଜନ ବ୍ୟବସ୍ଥା, ଶସ୍ୟ ଗୁଣବତ୍ତା ଯାଞ୍ଚ ଓ ଡିଜିଟାଲ ପଞ୍ଜୀକରଣ ଭଳି ବିଭିନ୍ନ ସୁବିଧା ସୁନିଶ୍ଚିତ କରାଯାଉଛି।ସମବାୟ ବିଭାଗ ପକ୍ଷରୁ ସମସ୍ତ ଯୋଗ୍ୟ ଚାଷୀଙ୍କୁ ନିଜ ନିକଟସ୍ଥ PACS/LAMPCS ସହିତ ସମ୍ପର୍କ କରି ପଞ୍ଜୀକରଣ କରିବା ସହ ସରକାରୀ କ୍ରୟ ବ୍ୟବସ୍ଥାର ଲାଭ ଉଠାଇବା ପାଇଁ ଆହ୍ୱାନ କରାଯାଇଛି। ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା, ନ୍ୟାୟସଂଗତ ମୂଲ୍ୟ ପ୍ରଦାନ ଓ କୃଷି ଆର୍ଥିକତାକୁ ଆହୁରି ସୁଦୃଢ଼ କରିବା ଦିଗରେ ସରକାର ଦୃଢ଼ ସଙ୍କଳ୍ପବଦ୍ଧ ବୋଲି ସମବାୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।
