ନୂଆଦିଲ୍ଲୀ: ବିଦେଶ ମାଟିରେ ପୁଣିଥରେ ଭାରତୀୟ ତ୍ରିରଙ୍ଗା ଉଡ଼ାଇଛନ୍ତି ଓଡ଼ିଶାର ଗର୍ବ ତଥା ପାରାଲିମ୍ପିକ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ। ସ୍ପେନର ଭିଟୋରିଆଠାରେ ଅନୁଷ୍ଠିତ ‘ସ୍ପାନିଶ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ-୨୦୨୬’ରେ ଚମତ୍କାର ପ୍ରଦର୍ଶନ କରି ପ୍ରମୋଦ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ତାଙ୍କ ସହ ସୁକାନ୍ତ କଦମ ମଧ୍ୟ ଦୁଇଟି ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ପୁରୁଷ ସିଙ୍ଗଲ୍ସ (SL3) ବର୍ଗର ଫାଇନାଲରେ ପ୍ରମୋଦ ନିଜ ଦେଶର ଖେଳାଳି ନୀତିଶ କୁମାରଙ୍କୁ ଏକ କଡ଼ା ସଂଘର୍ଷରେ ପରାସ୍ତ କରିଛନ୍ତି। ପ୍ରାୟ ୫୧ ମିନିଟ୍ ଧରି ଚାଲିଥିବା ଏହି ରୋମାଞ୍ଚକର ମ୍ୟାଚରେ ପ୍ରମୋଦ ୨୧-୧୭, ୧୦-୨୧ ଓ ୨୧-୧୮ ସେଟରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାତେଇଥିଲେ। ପ୍ରମୋଦଙ୍କ ଏହି ବୃହତ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶା ପାଇଁ ଏହା ଏକ ଗୌରବର ବିଷୟ ବୋଲି କହିଛନ୍ତି।
