ପୁରୀ: ପିପିଲି ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିପିଲି ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ମୌଜାରେ ୫ ଏକରରୁ ଅଧିକ ଜମି ଉପରେ ଏକ ଅତ୍ୟାଧୁନିକ ‘ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍’ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରାୟ 80 କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ଗୁୁରୁବାର ଶିଳାନ୍ୟାସ ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ପିପିଲି ଚାନ୍ଦୁଆ କେବଳ ଏକ ହସ୍ତଶିଳ୍ପ ନୁହେଁ, ଏହା ଓଡ଼ିଆ ଜାତିର ସ୍ୱାଭିମାନ ଓ ‘ଓଡ଼ିଆ ଅସ୍ମିତା’ର ପରିଚୟ। ଏହି କଳା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ରଥଯାତ୍ରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ବିଗତ ସରକାରଗୁଡ଼ିକର ଅଦୂରଦର୍ଶିତା ଯୋଗୁଁ ଏହି ବିଶ୍ୱପ୍ରସିଦ୍ଧ କାରିଗରମାନେ ବର୍ଷ ବର୍ଷ ଧରି ନିଜର ହକ୍ରୁ ବଞ୍ଚିତ ହେଉଥିଲେ । ଆଜିର ଏହି ଶିଳାନ୍ୟାସ ସେହି ସ୍ୱାର୍ଥପର ରାଜନୀତି ବିରୁଦ୍ଧରେ ଏକ ଦୃଢ଼ ଜବାବ ବୋଲି ମତଦେଇ ଆମ ସରକାର କେବଳ ଶିଳାନ୍ୟାସ କରେନାହିଁ ବରଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରି ଉଦ୍ଘାଟନ କରିବାର ରେକର୍ଡ ରଖିଛି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୂଚନା ଥାଉ ଯେ, ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣ ହେବାକୁ ଥିବା ଏହି ସମନ୍ୱିତ “କ୍ରାଫ୍ଟ, କଲ୍ଚର ଆଣ୍ଡ ଟୁରିଜମ୍ ହବ୍”ରେ ୫୦ଟି ବ୍ୟବସାୟିକ ଦୋକାନ, ୬ଟି ସରକାରୀ ସୋ-ରୁମ୍, ଲାଇଭ୍ ଡେମୋନଷ୍ଟ୍ରେସନ୍ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ-ଭିଜୁଆଲ୍ ଗ୍ୟାଲେରୀ, ମୁକ୍ତ ଆକାଶ ରଙ୍ଗମଞ୍ଚ, ଓଡ଼ିଆ ଫୁଡ୍ କୋର୍ଟ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ। ଏଠାରେ ଚାନ୍ଦୁଆ ସମେତ ଓଡ଼ିଶାର ସମସ୍ତ ୬୪ଟି ଅନୁମୋଦିତ ହସ୍ତଶିଳ୍ପ ଏବଂ ୬ଟି ଜି.ଆଇ. ମାନ୍ୟତାପ୍ରାପ୍ତ କଳାର ପ୍ରଦର୍ଶନ ଓ ବିକ୍ରୟ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଏହି ପ୍ରକଳ୍ପ ଦ୍ୱାରା ପିପିଲି ଓ ଆଖପାଖ ଅଞ୍ଚଳର ୬ ହଜାରରୁ ଅଧିକ କାରିଗର ସିଧାସଳଖ ଉପକୃତ ହେବେ।’
