ଭୁବନେଶ୍ୱର:ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ଯୋଗ୍ୟ ଚାଷୀଙ୍କ ପାଇଁ ‘ପିଏମ୍ କିସାନ’ ଯୋଜନାର ୨୩ତମ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଓ ବଡ଼ ଆକାରର ବହୁମୁଖୀ ସମବାୟ ସମିତି (LAMPCS) ପରିସରରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଚାଷୀ, ସମବାୟ ସଦସ୍ୟ, ଜନପ୍ରତିନିଧି ଓ ସମବାୟ କର୍ମକର୍ତ୍ତାମାନେ ଏଥିରେ ସାମିଲ ହୋଇଥିଲେ lକାର୍ଯ୍ୟକ୍ରମ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସିଧାପ୍ରସାରିତ ଭାଷଣ ଦେଖିବା ଓ ଶୁଣିବା ପାଇଁ ସମିତିଗୁଡ଼ିକରେ ବିଶେଷ ବ୍ୟବସ୍ଥା କରାଯାଇଥିଲା। ଚାଷୀମାନେ ଏହି ଯୋଜନା ମାଧ୍ୟମରେ କୃଷି କ୍ଷେତ୍ରରେ ସରକାରଙ୍କ ନିରନ୍ତର ସହଯୋଗ ଓ ପ୍ରତିବଦ୍ଧତା ସମ୍ପର୍କରେ ଅବଗତ ହୋଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କୃଷକ କଲ୍ୟାଣ, ଆତ୍ମନିର୍ଭର କୃଷି ଏବଂ ଗ୍ରାମୀଣ ଅର୍ଥନୀତିର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ lପିଏମ୍ କିସାନ ଯୋଜନା ଅଧୀନରେ ସହାୟତା ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର ହେବା ପରେ ଉପସ୍ଥିତ ଚାଷୀ ଭାଇଭଉଣୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା। ଅନେକ ଚାଷୀ ଏହି ଯୋଜନାକୁ କୃଷି କାର୍ଯ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସହାୟତା ବୋଲି ମତ ପ୍ରକାଶ କରିଥିଲେ।ସମବାୟ ସମିତିଗୁଡ଼ିକରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଚାଷୀ ଓ ସମବାୟ ସଂଗଠନମାନଙ୍କ ମଧ୍ୟରେ ସରକାରୀ କୃଷକ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହ କୃଷକମାନଙ୍କ ଆସ୍ଥାକୁ ଆହୁରି ଦୃଢ଼ କରିଛି। ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ଓ କୃଷି କ୍ଷେତ୍ରର ବିକାଶ ପାଇଁ ଏଭଳି ଯୋଜନାଗୁଡ଼ିକ ଭବିଷ୍ୟତରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ l
